ଆଜି ୭୭ ତମ ରାଜଧାନୀ ପ୍ରତିଷ୍ଠା ଦିବସ । ରାଜଧାନୀ ନାମ ଫଳକରେ ମାଲ୍ୟାର୍ପଣ ପରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଚିତ୍ତାକର୍ଷକ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ବାଚସ୍ପତି ସୁରମା ପାଢୀ। ରବୀନ୍ଦ୍ର ମଣ୍ଡପଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ପରେଡ୍ କରାଯାଇଛି । ସାରା ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଜୟଦେବ ଭବନରେ ଫଟୋ ଚିତ୍ର ପ୍ରଦର୍ଶନୀ ଆୟୋଜନ ହୋଇଛି । ଏହାସହ ରାଜଧାନୀର ସ୍କୁଲ ଓ କଲେଜ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଂସ୍କୃତିକ ପ୍ରତିଯୋଗିତା କରାଯିବ । ସଂଧ୍ୟାରେ ଉତ୍କଳ ମଣ୍ଡପରେ ବିଶେଷ କାର୍ଯ୍ୟକ୍ରମରେ ୧୩ ଜଣ ବ୍ୟକ୍ତିଙ୍କୁ ରାଜଧାନୀ ଗୌରବ ସମ୍ନାନ ୨୦୨୫ ପ୍ରଦାନ କରାଯିବ ।
୧୯୪୮ ମସିହା ଆଜିର ଦିନରେ ଭୁବନେଶ୍ବରରକୁ ରାଜ୍ୟର ରାଜଧାନୀ କରିବା ନେଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁ ଶିଳାନ୍ୟାସ କରିଥିଲେ। ସେବେଠୁ ଏପ୍ରିଲ୧୩ ତାରିଖକୁ ରାଜଧାନୀର ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଉଛି। ଗତ ୭୭ ବର୍ଷ ଭିତରେ ରାଜଧାନୀର କାୟା କଳ୍ପ ପରିବର୍ତ୍ତନ ହୋଇଛି । ଲୋକସଂଖ୍ୟା ବଢିବା ସହ ଦ୍ରୁତ ଗତିରେ ରାଜଧାନୀ ସଂପ୍ରସାରିତ ହୋଇଛି । କେବଳ ସେତିକି ନୁହେଁ ଏହା ଦେଶର ଅନ୍ୟତମ ଶିକ୍ଷା ଏବଂ ଆଇଟି ହବ୍ ପାଲଟିଛି। ଆଗକୁ ଏହାର ରୂପ ରଙ୍ଗ ଅନେକ କିଛି ବଦଳିବାକୁ ଯାଉଛି । ଭୁବନେଶ୍ୱରରୁ କଟକକୁ ଧାଇଁବ ମେଟ୍ରୋ। ଏଲିଭଟେଡ୍ କରିଡର ସାଙ୍ଗକୁ ଇନର ଓ ଆଉଟର ରିଙ୍ଗରୋଡ୍ ତିଆରି ହେବ। ଏକାଧିକ ଫ୍ଲାଏ ଓଭର ଆଉ ଭୂତଳ ରାସ୍ତା ଫିଟିବ। ସହର ଉପକଣ୍ଠରେ ରେ ଛିଡ଼ା ହେବ ନିଉ ସିଟି। ଇନ୍ଫୋସିଟି-୩ ପାଇଁ ବି ଯୋଜନା ରହିଛି। ଭୁବନେଶ୍ବରକୁ ଆଇଟି ହବ୍ ଭାବେ ଗଢ଼ି ତୋଳିବାକୁ ସରକାର ଇନଫୋସିଟି-୩ ପାଇଁ ପରିକଳ୍ପନା କରିଛନ୍ତି।