Odia News Portal

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୪ତମ ଜନ୍ମଦିନ, ଛୁଟିଲା ଶୁଭେଚ୍ଛାର ସୁଅ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୭୪ ବର୍ଷରେ ପଦାର୍ପଣ କରିଛନ୍ତି ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହିପରି ମୋଦିଙ୍କ ଜନ୍ମଦିନ ପାଇଁ ଭାରତୀୟ ଜନତା ପାର୍ଟୀ ଅନେକ ପ୍ରକାରର କାର୍ଯ୍ୟକ୍ରମର ଯୋଜନା କରିଛି।

ତେବେ ୧୯୫୦ ମସିହା ଆଜିର ଦିନରେ ଗୁଜୁରାଟର ଏକ ମଧ୍ୟବିତ୍ତ ପରିବାରରେ ନରେନ୍ଦ୍ର ମୋଦିଙ୍କ ଜନ୍ମ । ସେ ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ସ୍ବାଧୀନତା ପରେ ଜନ୍ମଗ୍ରହଣ କରିଛନ୍ତି । ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ ତଥା(RSS) ରେ ମାତ୍ର ୮ବର୍ଷ ବୟସରେ ଯୋଗ ଦେଇଥିଲେ ମୋଦି । ୮ ବର୍ଷ ବୟସରୁ ବାଲ୍ ସ୍ବୟଂସେବକ ଭାବେ RSS ରେ ଯୋଗ ଦେଇଥିବା ନରେନ୍ଦ୍ର ବର୍ତ୍ତମାନର ପ୍ରଧାନସେବକ ନରେନ୍ଦ୍ର ମୋଦି ଭାବେ ପରିଚିତ । ମୋଦି ଉଚ୍ଚ ମାଧ୍ୟମିକ ଶିକ୍ଷା ସାରିବା ପରେ ବାପାଙ୍କୁ ସାହାଯ୍ୟ କରିବା ପାଇଁ ଗୁଜୁରାଟର ଏକ ଷ୍ଟେସନରେ ଚା’ ବିକ୍ରି କରୁଥିଲେ ।

ଯଶୋଦାବେନ ଛମାନାଲ ନାମକ ଜଣେ ଯୁବତୀଙ୍କୁ ବିବାହ କରିବା ପରେ ସେ ୧୮ ବର୍ଷ ବୟସରେ ଘର ଛାଡି ଥିଲେ । ଏହାପରେ ୧୯୭୧ ମସିହାରେ ଗୁଜୁରାଟ ଫେରିବା ପରେ RSS ର ଏକ ପ୍ରମୁଖ ସଦସ୍ୟ ଭାବେ ଯୋଗ ଦେଇଥିଲେ । ୨୦୦୧ରୁ ୨୦୧୪ ପର୍ଯ୍ୟନ୍ତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ଏହାପରେ ୨୦୧୪ରେ ଭାରତର ୧୪ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ନରେନ୍ଦ୍ର ମୋଦି । ସେବେଠାରୁ ମୋଦିଙ୍କ ପ୍ରଧାନମନ୍ତ୍ରୀ ଯାତ୍ରା ଜାରି ରହିଛି । ତେବେ କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ମୋଦିଙ୍କ ଲୋକପ୍ରିୟତା ଖୁବ୍ ଅଧିକ ।