ଦେଶର ସପ୍ତମ ତଥା ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଗୁରୁବାର ସନ୍ଧ୍ୟାରେ ପ୍ରଚାର ସରୁଛି। ପ୍ରଚାରର ଶେଷ ଦିନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡିଶା ଆସୁଛନ୍ତି । ଏଥିପାଇଁ ଉତ୍ସାହିତ ଅଛି କଂଗ୍ରେସ କ୍ୟାମ୍ପ । ସେ ଭଦ୍ରକ-ବାଲେଶ୍ବର ଲୋକସଭା ଆସନରେ ପ୍ରଚାର କରିବେ। ଭଦ୍ରକର ସିମୁଳିଆରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବାହ୍ନ ୧୧ଟା ୧୫ରେ ଭଦ୍ରକ ସ୍ଥିତ ସିମୁଳିଆ ଠାରେ ବିଶାଳ ଜନ ସଭାରେ ରାହୁଲ ଯୋଗ ଦେବେ। ନିର୍ବାଚନର ଶେଷ ଦିନରେ ରାହୁଲଙ୍କ ଏହା ତୃତୀୟ ଓଡ଼ିଶା ଗସ୍ତ ଓ ଓଡ଼ିଶାରେ ଶେଷ ପ୍ରଚାର। ଏହା ପୂର୍ବରୁ ସାଲେପୁର ଓ ବଲାଙ୍ଗୀର ଗସ୍ତରେ ରାହୁଲ ଓଡିଶା ଆସି ସାରିଛନ୍ତି। ଗତକାଲି ଭଦ୍ରକ ଓ ବାଲେଶ୍ୱରରେ ବିଶାଳ ରାଲି କରିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଗଣତନ୍ତ୍ରକୁ ରକ୍ଷା କରିବାକୁ ହେଲେ କଂଗ୍ରେସ ହାତମୁଠାକୁ ଟାଣ କରିବାକୁ ଖଡଗେ ଆହ୍ବାନ ଦେଇଥିଲେ।
ସେହିପରି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଡ଼ିଶାରେ ମାରାଥନ ପ୍ରଚାର କରିବା ସହ ନିଜ ପ୍ରଚାର ଅଭିଯାନକୁ ଶେଷ ସ୍ପର୍ଶ ଦେଇଥିଲେ। ମୋଦି ଗତକାଲି ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ବିଜେଡି ସରକାର ଉପରେ ପ୍ରବଳ ବର୍ଷିଥିଲେ।
ଗତକାଲି ଜଗତସିଂହପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ନିମାପଡା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିମାପଡା ଗୋଲେଇ ଛକ ଠାରୁ ଜୟଶ୍ରୀ ଛକ ପର୍ଯ୍ୟନ୍ତ ରୋଡ଼ ସୋ କରି ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀଙ୍କୁ ଜିତାଇବାକୁ ନବୀନ ଅପିଲ କରିଥିଲେ।
ଏହାବାଦ ଗତକାଲି ବିଜେଡିର ଷ୍ଟାର ପ୍ରଚାରକ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ଅଭିନେତା ଶ୍ରୀତମ ଦାସ ମଧ୍ୟ ବିଭିନ୍ନ ସ୍ଥାନରେ ଜନସଭା ଓ ରୋଡ ଶୋ’ କରି ଭୋଟରଙ୍କ ମନକୁ ଛୁଇଁବାକୁ ଚେଷ୍ଟା କରିଥିଲେ। ଆସନ୍ତା ଶନିବାର ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ହେବ । ଏହି ଦିନ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଲୋକସଭା ସିଟ୍ ଓ ୪୨ ବିଧାନସଭା ଆସନ ପାଇଁ ହେବ ଭୋଟ । ଏଥିନିମନ୍ତେ ଆଜି ଅପରାହ୍ନରେ ସରୁଛି ପ୍ରଚାର । ଏହାପରେ ଆସନ୍ତା ଶନିବାର ନିଜ ନେତା ବାଛିବେ ଭୋଟର ।