Odia News Portal

ଆଜିଠୁ ମିଳିବ ବିଏସକେୱାଇ ନବୀନ କାର୍ଡ

ଆଜିଠୁ ମିଳିବ ବିଏସକେୱାଇ ନବୀନ କାର୍ଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିବେ । ପ୍ରଥମ ପର୍ୟ୍ୟାୟରେ ଖୋର୍ଦ୍ଧା ଓ ସମ୍ବଲପୁରର ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରାଯିବ ପରେ ସବୁ ଜିଲ୍ଲାରେ କାର୍ୟ୍ୟକାରୀ ହେବ। ଏଥିରେ ରାଜ୍ୟର  ୯୦ ପ୍ରତିଶତ ଲୋକ ଉପକୃତ ହେବେ । ବିଏସକେୱାଇର ଏହି ତୃତୀୟ ପର୍ୟ୍ୟାୟରେ ଗ୍ରାମାଞ୍ଚଳ ଲୋକଙ୍କୁ ଜଟିଳ ରୋଗ ପାଇଁ ମିଳିବ ମାଗଣା ଚିକିତ୍ସା । ରାଜ୍ୟର ପ୍ରତି ବ୍ଲକସ୍ତରରେ ୧୦୦ଟି ଲେଖାଏଁ କାର୍ଡ ବଣ୍ଟାଯିବା ଲାଗି ବ୍ୟବସ୍ଥା ହୋଇଛି । ଏହି କାର୍ଡ ପାଇଁ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୮୧ ହଜାର ୪୮୧ ହିତାଧିକାରୀ ଆବେଦନ କରିଛନ୍ତି । ସେମାନଙ୍କ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ।
ଡିଆରଡିଏ ଅଧିକାରୀ ଚୟନ ହୋଇଥିବା ହିତାଧିକାରୀଙ୍କ ପରିଚୟପତ୍ର ଯାଞ୍ଚ କରିବା ପରେ କାର୍ଡ ବଣ୍ଟନ କରାଯିବ । ଏହି କାର୍ଡ ଦ୍ୱାରା ତାଲିକାଭୁକ୍ତ ହୋଇଥିବା ଘରୋଇ ଚିକିତ୍ସାଳୟରେ ପରିବାରର ସବୁ ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ବର୍ଷକୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ରହିଛି ।
ରାଜ୍ୟରେ ଅର୍ଥ ଅଭାବରୁ କେହି ବି ଉତ୍ତମ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ବଞ୍ଚିତ ହୋଇଥିବା ଗାଁ ଗହଳିର ଲୋକଙ୍କୁ ଏହି ପର୍ୟ୍ୟାୟରେ ବିଏସକେୱାଇ ନବୀନ କାର୍ଡ ମାଧ୍ୟମରେ ଜଟିଳ ରୋଗ ପାଇଁ ଘରୋଇ ହସ୍ପିଟାଲରେ କ୍ୟାସଲେସ୍‌ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କ ବ୍ୟତୀତ ଗାଁରେ ବିଏସକେୱାଇରୁ ବଞ୍ଚିତ ସବୁ ପରିବାର ବିଏସକେଓ୍ବାଇ ନବୀନ କାର୍ଡ ପାଇବେ । ସେମାନେ ଉଭୟ ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜିକୃତ ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଜଟିଳ ରୋଗଗୁଡିକର ମାଗଣା ଚିକିତ୍ସା ସୁବିଧା ପାଇବେ । ତୃତୀୟ ପର୍ୟ୍ୟାୟ ସଂପ୍ରସାରଣରେ ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର ସାମିଲ ହେବାକୁ ଯାଉଛନ୍ତି । ଯାହାକି ରାଜ୍ୟ ଜନସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ।