ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ସୋମବାରରୁ ଆରମ୍ଭ ହେବ । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏହା ହେବ ପ୍ରଥମ ଅଧିବେଶନ । ଏହି ଅଧିବେଶନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆସିବ । ୨୫ରେ ଗୃହରେ ବଜେଟ୍ ଆଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ଯ୍ୟସୂଚୀ ଅନୁସାରେ ଜୁଲାଇ ୨୨ ତାରିଖ ୧୧ଟାରେ ରାଜ୍ୟପାଳ ରଘୁବର ଦାସ ବିଧାନସଭାରେ ଅଭିଭାଷଣ ରଖିବେ ।
ଏହାପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆସିବ । ୨୩ରେ ଉପବାଚସ୍ପତି ନିର୍ବାଚନ ନେଇ ଘୋଷଣା ହେବ । ୨୪ ତାରିଖରେ ଉପବାଚସ୍ପତି ପଦ ପାଇଁ ଗୃହରେ ଭୋଟ ହେବ । ୨୩ରେ ପୁଣି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଜାରି ରହିବ ।
ଆସନ୍ତା ୨୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଅର୍ଥ ମନ୍ତ୍ରୀ ଭାବେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ସେପ୍ଟେମ୍ବର ୧୦ରେ ଗୃହରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହେବ । ନୂଆ ସରକାରର ଏହା ହେବ ପ୍ରଥମ ବଜେଟ୍ । ହେଲେ ପୂର୍ଣ୍ଣାଙ୍ଗ ବଜେଟ ପାଇଁ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବା ପୂର୍ବରୁ ବିଧାନସଭାରେ ଆଉ ଏକ ମାସ ପାଇଁ ଲେଖାନୁଦାନ ଆଗତ କରାଯିବ । ଜୁଲାଇ ୩୦ରେ ଲେଖାନୁଦାନ ପ୍ରସ୍ତାବ ଆସିବ । ୩୧ ଜୁଲାଇରେ ଲେଖାନୁଦାନ ପାଇଁ ବ୍ୟୟମଞ୍ଜୁରୀ ବିଲ୍ ଆଗତ ହେବ ।
ଦୁଇଟି ପର୍ଯ୍ୟାୟରେ ବିଧାନସଭାର ବଜେଟ ଅଧିବେଶନ ବସିବ । ଏଥିରେ ମୋଟ ୨୭ଟି କାର୍ଯ୍ୟ ଦିବସ ରହିଛି । ପ୍ରଥମ ପର୍ଯ୍ୟାୟ ଜୁଲାଇ ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଗଷ୍ଟ ୧ରୁ ୧୯ ତାରିଖ ପର୍ଯ୍ୟନ୍ତ ଅଧିବେଶନ ନାହିଁ । ପୁନର୍ବାର ଅଗଷ୍ଟ ୨୦ରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବା ନେଇ କାର୍ଯ୍ୟସୂଚୀ ଜାରି ହୋଇଛି । ୨୪ ବର୍ଷର ବିଜେଡି ସରକାର ହଟିବା ପରେ ପ୍ରଥମ ଥର ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ପ୍ରଥମ ଥର ବିଧାନସଭାରେ ବଜେଟ ଉପସ୍ଥାପନ କରିବ । ଏହା ଉପରେ ସାରା ରାଜ୍ୟବାସୀଙ୍କ ନଜର ରହିଛି । ଅନ୍ୟପଟେ ପ୍ରଥମ ଥର ପାଇଁ ବିଜେଡି ବିଧାନସଭାରେ ବିରୋଧୀ ଦଳ ଭୂମିକା ତୁଲାଇବ । ନବୀନ ପଟ୍ଟନାୟକ ଗୃହରେ ପ୍ରଥମ ଥର ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ତୁଲାଇବେ । କଂଗ୍ରେସ ମଧ୍ୟ ନୂଆ ବିଧାୟକ ଦଳ ନେତା ଭାବେ ରାମଚନ୍ଦ୍ର କାଡାମଙ୍କୁ ଦାୟିତ୍ୱ ଦେଇଛି । ଗତ ଥର ମାତ୍ର ୯ଜଣ ବିଧାୟକ ଥାଇ କଂଗ୍ରେସ ହୋହଲ୍ଲା କରିଥିବା ବେଳେ ଏଥର ୧୪ ବିଧାୟକ ଅଛନ୍ତି । ତେଣୁ ଉଭୟ ଶାସକ ଓ ବିରୋଧୀ ଦଳ ପାଇଁ ଏହି ବିଧାନସଭା ଅଧିବେଶନ ଆହ୍ୱାନ ଭରା ରହିବ ।