Odia News Portal

ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ବଡ଼ ଝଟ୍‌କା; କୋର୍ଟରେ ପହଞ୍ଚାଇବା ପରେ ଗିରଫ କଲା ସିବିଆଇ

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ତିହାର ଜେଲରେ ରହିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ଏକ ବଡ଼ ଝଟକା ଲାଗିଛି। ସିବିଆଇ ଆଜି ତାଙ୍କ ସହ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ପହଞ୍ଚିଥିଲା। ସିବିଆଇ ଆଜି ରାଉଜ ଆଭେନ୍ୟୁ କୋର୍ଟର ଅବସରକାଳୀନ ଖଣ୍ଡପୀଠଙ୍କ ଆଗରେ କେଜ୍ରିୱାଲଙ୍କୁ ପହଞ୍ଚାଇଥିଲା ଏବଂ ଗିରଫ ପାଁ ଦାବି କରିଥିଲା।

ତେବେ ସିବିଆଇର ଏହି ଆବେଦନକୁ ଜଷ୍ଟିସ ଅମିତାଭ ରାୱତଙ୍କ ଖଣ୍ଡପିଠଙ୍କ ଦ୍ବାରା ଗ୍ରହଣ କରାଯିବା ପରେ କେଜ୍ରିଓ୍ବାଲଙ୍କୁ କୋର୍ଟରୁ ପୁଣି ଗିରଫ କରିଥିଲା ସିବିଆଇ।

ଏହି ମାମଲାରେ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ପକ୍ଷରୁ ଓକିଲ ବିକ୍ରମ ଚୌଧୁରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୁକ୍ତି କରିଥିଲେ। ସେ କହିଥିଲେ ଯେ, କେଜ୍ରିଓ୍ବାଲ ଅନ୍ୟଏକ ମାମଲାରେ ବିଚାର ବିଭାଗୀୟ ହେପାଜତରେ ରହି ମଧ୍ୟ ସିବିଆଇ ଦ୍ବାରା ତାଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଯଦି କୌଣସି ନିର୍ଦ୍ଦେଶ ପାରିତ ହୋଇଛି, ତଥାପି ଏନେଇ କୌଣସି ବି ସୂଚନା ଆମକୁ ଦିଆଯାଇନାହିଁ।

କେଜ୍ରିୱାଲଙ୍କ ଓକିଲ ବିକ୍ରମ ଚୌଧୁରୀ କହିଛନ୍ତି ଯେ ସିଏମଙ୍କ ଗିରଫଦାରୀ ଚିନ୍ତାଜନକ। ଗଣମାଧ୍ୟମରୁ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ବିଷୟରେ ସୂଚନା ପାଇଲୁ। ଆମେ ଦାବି କରୁଛୁ ଯେ ସିବିଆଇ ଦ୍ୱାରା ଦାଖଲ ହୋଇଥିବା ରିମାଣ୍ଡ ଆବେଦନର ଏକ କପି ମଧ୍ୟ ଆମକୁ ଦିଆଯାଉ। କେଜ୍ରିୱାଲଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ କହିଛନ୍ତି ଯେ ‘ଆମେ ଯାହା ବୁଝିଛୁ, ସେ ବିଚାର ବିଭାଗୀୟ ହେପାଜତରେ ଥିଲେ। ତେଣୁ ସିବିଆଇ ୨୪ ତାରିଖ ଦିନ କୋର୍ଟରେ ପଚରାଉଚରା ପାଇଁ ଆବେଦନ କରିଥିଲା, ତା’ପରେ ଗତକାଲି ଏଜେନ୍ସି ପ୍ରଡକ୍ସନ୍ ୱାରେଣ୍ଟ ଏବଂ ଅନୁମତି ପାଇଁ ଏବଂ ତାଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରିବାକୁ ଆବେଦନ କରିଥିଲା । ସେପର୍ଯ୍ୟନ୍ତ କେଜ୍ରିଓ୍ବାଲଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରାଯାଇ ନଥିଲା।’

ଅରବିନ୍ଦ କେଜ୍ରିୱାଲଙ୍କ ଓକିଲ ଇଡିର ଦାବିକୁ ବିରୋଧ କରି କହିଛନ୍ତି ଯେ ଯଦି ଆସନ୍ତାକାଲି ମାମଲା ରୁଜୁ କରାଯାଏ ଏବଂ ଡକ୍ୟୁମେଣ୍ଟ ଆମକୁ ଦିଆଯାଏ ତେବେ ଆକାଶ ଖସିପଡ଼ିବ ନାହିଁ। କେଜ୍ରିୱାଲଙ୍କ ଓକିଲଙ୍କୁ କୋର୍ଟ କହିଛନ୍ତି ଯେ ତାଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରାଯାଇ ନ ଥିବାରୁ ପ୍ରକ୍ରିୟା କେଉଁଠାରୁ ଆରମ୍ଭ ହେବ? କେଜ୍ରିୱାଲଙ୍କ ଓକିଲ ପୁଣି କହିଛନ୍ତି- ଆପଣ ଆମକୁ ଆବେଦନ କରିବାକୁ ଦିଅନ୍ତୁ। ଆମକୁ ଜବାବ ରଖିବାକୁ ଦୟାକରି ସମୟ ଦିଅନ୍ତୁ। ଆସନ୍ତାକାଲି ଏହି ମାମଲାର ଶୁଣାଣି ହୋଇପାରିବ। ସେ କହିଛନ୍ତି ଯେ କେଜ୍ରିୱାଲ କୋର୍ଟଙ୍କ ହେପାଜତରେ ଅଛନ୍ତି, ତାଙ୍କର ଶୁଣାଣି କରିବାର ହକ୍ ନାହିଁ କି? ତମାମ ପ୍ରଶ୍ନୋତ୍ତର ଭିତରେ ଶୁଣାଣି ବେଳେ କେଜ୍ରିଓ୍ବାଲଙ୍କୁ ଗିରଫ କରିଛି ସିବିଆଇ।