ଅଯୋଧ୍ୟାରେ ଓଡ଼ିଶାବାସୀଙ୍କ ଲାଗି ଅତିଥି ଭବନ ନିର୍ମାଣ କରାଯିବ। ଏଥିଲାଗି ମୁଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହେବି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେ ଆହୁରି କହିଛନ୍ତି, ଓଡ଼ିଶାରୁ ବହୁ ଲୋକ ଅଯୋଧ୍ୟା ଆସି ରାମଲାଲାଙ୍କ ଦର୍ଶନ କରୁଛନ୍ତି। ଏଣୁ ସେମାନଙ୍କ ରହିବା ଲାଗି ଓଡ଼ିଶା ସରକାର ଅତିଥି ଭବନ ନିର୍ମାଣ କରିବେ। ଉତ୍ତର ପ୍ରଦେଶ ସରକାର ଜମି ଯୋଗାଇଦେବା ମାତ୍ରେ ଅତିଥି ଭବନ ନିର୍ମାଣ କାମ ଆରମ୍ଭ ହେବ। ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସପରିବାର ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିବା ସହ ଓଡ଼ିଶା ଓ ଦେଶର ଉନ୍ନତି କାମନା କରି ପୂଜାର୍ଚ୍ଚନା କରିଛନ୍ତି।
ଏଣେ ଗତକାଲି ରବିବାର ଅପରାହ୍ଣରେ ମହାକୁମ୍ଭରେ ଶ୍ରଦ୍ଧାର ବୁଡ଼ ପକାଇଥିଲେ। ଏଥି ସହିତ ତାଙ୍କର ପରିବାର ଲୋକେ ମଧ୍ୟ ମହାକୁମ୍ଭରେ ବୁଡ଼ ପକାଇଥିଲେ। ଏହି ଅବସରରେ ଶ୍ରୀ ମାଝୀ ତ୍ରିବେଣୀ ସଂଗମରେ ଗଂଗା ଆରତୀ କରିଥିଲେ। ଶ୍ରୀ ମାଝୀ ୩ଦିନିଆ ଉତ୍ତର ପ୍ରଦେଶ ଗସ୍ତର ପ୍ରଥମ ଦିନରେ ଏହି ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗ ଦେଇଥିଲେ।
ସଂଗମରେ ବୁଡ଼ ପକାଇବା ସହିତ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ, ଏଠାରେ ଉପସ୍ଥିତ ରହି ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ପବିତ୍ର ସଂଗମରେ ବୁଡ଼ ପକାଇଛି ଏବଂ ପ୍ରାର୍ଥନା କରିଛି। ଓଡ଼ିଶା ତଥା ଦେଶର କଲ୍ୟାଣ ପାଇଁ ମା’ ଗଙ୍ଗା, ମା’ ଯୁମୁନା ଓ ମା’ ସରସ୍ବତୀଙ୍କ ନିକଟରେ ପ୍ରାର୍ଥନା କରି ଆଶୀର୍ବାଦ ମାଗିଛି। ମହାକୁମ୍ଭ ମେଳା ପାଇଁ ଉତ୍ତର ପ୍ରଦେଶ ସରକାର ଭଲ ବ୍ୟବସ୍ଥା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତାଙ୍କର ଟିମ୍ ଶ୍ରଦ୍ଧାଳୁଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ‘ବିକଶିତ ଭାରତ’କୁ ଆଗେଇ ନେବା ପାଇଁ ଏହା ମଧ୍ୟ ଏକ ବଳିଷ୍ଠ ଉଦ୍ୟମ।
ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ବିଶ୍ବ ପ୍ରସିଦ୍ଧ ମହାକୁମ୍ଭ-୨୦୨୫ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତମାସ ୧୩ ତାରିଖ ଠାରୁ ତ୍ରିବେଣୀ ସଂଗମରେ ଆରମ୍ଭ ହୋଇଥିବା ଏହି ଧାର୍ମିକ ମେଳାରେ ଏଯାଏଁ ୫୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇସାରିଛନ୍ତି। ଆସନ୍ତା ୨୬ ତାରିଖ ଯାଏଁ ଜାରି ରହିବାକୁ ଥିବା ଏହି ଦିବ୍ୟ ଓ ଭବ୍ୟ ମେଳାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇସାରିଛନ୍ତି। ସେହିପରି ବିଦେଶୀ ଶ୍ରଦ୍ଧାଳୁମାନେ ମଧ୍ୟ କୁମ୍ଭମେଳାରେ ବୁଡ଼ ପକାଇ ପୂଣ୍ୟ ଅର୍ଜନ କରୁଛନ୍ତି।