Odia News Portal

ଅମିତ ଶାହା ଲଢ଼ୁଥିବା ଗାନ୍ଧିନଗରକୁ ନେଇ କଣ କହୁଛି ଏକଜିଟ ପୋଲ ଜାଣନ୍ତୁ

ଗୁଜୁରାଟର ଗାନ୍ଧିନଗର ଲୋକସଭା ଆସନ ବିଜେପିର ଗଡ଼ ଭାବରେ ବିବେଚନା କରାଯାଏ । ୧୯୮୯ ପରଠାରୁ ବିଜେପି ଏହି ଆସନ ବଜାୟ ରଖିଛି। ଗତ ସାଢେ ତିନି ଦଶନ୍ଧି ଧରି ବିଜେପି ବ୍ୟତୀତ ଅନ୍ୟ କୌଣସି ଦଳ ଏହି ଆସନରୁ ଜିତିନାହାଁନ୍ତି। ଏଥର ବରିଷ୍ଠ ବିଜେପି ନେତା ଅମିତ ଶାହା ଏଠାରୁ ନିର୍ବାଚନ ଲଢ଼ୁଛନ୍ତି । ଇଣ୍ଡିଆ ଟୁଡେ-ଆକ୍ସି ମାଇ ଇଣ୍ଡିଆ ଏକ୍ଜିଟ୍ ପୋଲ୍ ଅନୁଯାୟୀ ଅମିତ ଶାହା ଏହି ଆସନକୁ ସହଜରେ ଜିତିବାକୁ ଯାଉଛନ୍ତି। ଅମିତ ଶାହା ଗାନ୍ଧିନଗର ଆସନରେ କଂଗ୍ରେସର ସୋନଲ ପଟେଲଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେ ଗୁଜରାଟ କଂଗ୍ରେସର ମହିଳା ସଭାପତି ରହିଛନ୍ତି। ବାସ୍ତବରେ କଂଗ୍ରେସ ଗାନ୍ଧିନଗର ଆସନରୁ କୌଣସି ଶକ୍ତିଶାଳୀ ପ୍ରାର୍ଥୀ ଦେଇନଥିଲା, ଯେଉଁଥିପାଇଁ ଅମିତ ଶାହାଙ୍କ ରାସ୍ତା ଅତି ସହଜ ହୋଇଥିଲା।

ଏହି କାରଣରୁ ଏକଜିଟ୍ ପୋଲ୍ ମଧ୍ୟ ସୂଚାଇ ଦେଉଛି ଯେ ଅମିତ ଶାହା ବିରାଟ ଭୋଟ୍ ବ୍ୟବଧାନରେ ଏଠାରୁ ଜିତିବାକୁ ଯାଉଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ​​ଅମିତ ଶାହା କଂଗ୍ରେସର ଚତୁର ସିଂ ଯବାନଜୀ ଚାଭଡାଙ୍କୁ ୫.୫ ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ଏହାପୂର୍ବରୁ ୨୦୧୪ ଲୋକସଭା ନିର୍ବାଚନରେ ​​ଭେଟେରାନ ବିଜେପି ନେତା ଲାଲ କୃଷ୍ଣ ଆଡଭାନୀ ୪.୮ ଲକ୍ଷ ଭୋଟରେ କଂଗ୍ରେସର କିରୀଟଭାଇ ଇଶ୍ୱରଭାଇ ପଟେଲଙ୍କୁ ପରାସ୍ତ କରିଥିଲେ । ୧୯୯୮ ରୁ ୨୦୧୪ ପର୍ଯ୍ୟନ୍ତ ଲାଲକୃଷ୍ଣ ଆଡଭାନୀ ଗାନ୍ଧିନଗର ଲୋକସଭା ଆସନରୁ ୬ ଥର ଜିତିଥିଲେ। ୨୦୧୯ ରେ ପ୍ରଥମ ଥର ପାଇଁ ଅମିତ ଶାହାଙ୍କୁ ଏଠାରୁ ଟିକେଟ ଦିଆଯାଇଥିଲା। ଇଣ୍ଡିଆ-ଟୁଡେ ଆକ୍ସି ମାଇ ଇଣ୍ଡିଆ ଏକ୍ଜିଟ୍ ପୋଲ୍ ଅନୁଯାୟୀ ଗୁଜୁରାଟରେ ବିଜେପି ୨୫-୨୬ ସିଟ୍ ପାଇବ ବୋଲି ଆଶା କରାଯାଉଛି। ଚାଣକ୍ୟ ଏଜେନ୍ସି ଏହାର ଏକଜିଟ୍ ପୋଲରେ ଦର୍ଶାଇଛି ଯେ ଗୁଜୁରାଟର ସମସ୍ତ ସିଟ୍ ବିଜେପି ଖାତା ଯାଉଛି। ଏହି ସର୍ଭେ ଅନୁଯାୟୀ ବିଜେପି ଏଠାରେ ଥିବା ୨୬ଟି ସିଟ୍ ଦଖଲ କରିବାକୁ ଯାଉଛି। ରିପବ୍ଲିକ ପକ୍ଷରୁ ବିଜେପିକୁ ୨୪ରୁ ୨୬ ଆସନ, ଇଣ୍ଡିଆ ଟୁଡ଼େ ଏନଡିଏକୁ ୨୫ରୁ ୨୬ ଆସନ, ଏବିପି ସିଭୋଟର ଏନଡିଏ ୨୫ରୁ ୨୬ ଆସନରେ ଜିତିବାର ଆକଳନ କରିଥିବାବେଳେ ଇଣ୍ଡିଆ ମେଣ୍ଟକୁ ୦ରୁ ୧ ଆସନ ମିଳିବାର ଆକଳନ କରିଛନ୍ତି |