ସ୍ୱାଧିକାର ନ୍ୟୁଜ() ଈଶ୍ୱର ପ୍ରାପ୍ତିର ସବୁଠାରୁ ସରଳ ଓ ସୁଲଭ ରାସ୍ତା ହେଉଛି କୌଣସି ଯୋଗ୍ୟ ସନ୍ଥ ବା ସଦଗୁରୁଙ୍କର ଚରଣାଶ୍ରିତ ରହିବା । ଧର୍ମଗ୍ରନ୍ଥ ପଠନ ଏବଂ ଧାର୍ମିକ ବ୍ୟାଖ୍ୟା ଶ୍ରବଣ ଅପେକ୍ଷା ଜଣେ ଆତ୍ମଦ୍ରଷ୍ଟା ସନ୍ଥଙ୍କର ସଙ୍ଗତି ଅଧିକ ଲାଭଦାୟକ । ପୃଥିବୀବାସୀଙ୍କ ପାଇଁ ସୂର୍ଯ୍ୟଙ୍କର ଆଲୋକ ବ୍ରହ୍ମାଣ୍ଡର ଅନ୍ୟ ସମସ୍ତ ନକ୍ଷତ୍ରଗଣଙ୍କ ଠାରୁ ପ୍ରାପ୍ତ ସମସ୍ତ ପ୍ରକାଶଠାରୁ ଯେପରି ଅଧିକ ତୀବ୍ର, ସେହିପରି ସଦଗୁରୁଙ୍କ କୃପାରୁ ଯେଉଁ ଆଧ୍ୟାତ୍ମିକ ଜ୍ଞାନଲାଭ ହୁଏ । ତାହା ଗ୍ରନ୍ଥ, ଉପଦେଶ ବା ଅନ୍ୟ କୌଣସି ମାଧ୍ୟମରେ ଆହରିତ ଜ୍ଞାନ ଠାରୁ ଅଧିକ ପ୍ରଭାବଶାଳୀ । ସଦଗୁରୁଙ୍କର ପ୍ରତ୍ୟେକଟି ଆଚରଣ, ମୃଦୁଭାଷଣ, ସତ ଉପଦେଶ, କ୍ଷମାଶୀଳତା ,ସ୍ଥିରତା, ବୈରାଗ୍ୟ, ଦାନ,ପରୋପକାରିତା, ଶରୀର ନିୟନ୍ତ୍ରଣ, ଅହଙ୍କାରଶୂନ୍ୟତା ଆଦି ଗୁଣଗୁଡିକ ସେମାନଙ୍କର ସତସଙ୍ଗ ଦ୍ୱାରା ଭକ୍ତକୁ ପ୍ରଭାବିତ କରିଥାଏ । ଏହା ଭକ୍ତମାନଙ୍କର ମନ,ଚିନ୍ତା ଓ ଚେତନାରେ ଆଲୋକପାତ କରାଇ ଉତ୍ତରୋତ୍ତର ଆଧ୍ୟାତ୍ମିକ ଉନ୍ନତିର କାରଣ ହୋଇଥାଏ ।
ଶ୍ରୀ ସାଇବାବା ଏପରି ଜଣେ ସନ୍ଥ ବା ସଦଗୁରୁ ଥିଲେ । ଯଦିଓ ବାହାରକୁ ସେ ଏକ ସାଧାରଣ ଫକୀରର ଅଭିନୟ କରୁଥିଲେ, ଅନ୍ତରରେ ସେ ସର୍ବଦା ଆତ୍ମଲୀନ ଥିଲୋ ସମସ୍ତ ପ୍ରାଣୀଙ୍କ ପ୍ରତି ସେ ସ୍ନେହଶୀଳ ଥିଲେ ଓ ସେମାନଙ୍କ ଭିତରେ ଭଗବତ ଦର୍ଶନ କରୁଥିଲେ । ସେ ସୁଖରେ ଉତଫୁଲ୍ଲିତ ବା ଦୁଃଖରେ କାତର ହେଉନଥିଲେ । ତାଙ୍କର ଧନୀ-ଗରିବ ସମସ୍ତଙ୍କ ପାଇଁ ସମଭାବ ଥିଲା ଯାହାଙ୍କର (ବାବା) କେବଳ କୃପା ମାତ୍ରକେ ଭିକ୍ଷୁକ ରାଜା ହୋଇପାରୁଥିଲା ସେ ଶିରିଡିର ଦ୍ୱାର ଦ୍ୱାର ବୁଲି ଭିକ୍ଷା ମାଗୁଥିଲେ ।