Odia News Portal

ଚିନ୍ତା ବଢାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ


ସାରା ବିଶ୍ୱରେ କରୋନାର ଓମିକ୍ରନ ଭାରିଆଣ୍ଟ ଆତଙ୍କ ଖେଳାଇ ଦେଇଥିବା ବେଳେ ବିଦେଶ ଫେରନ୍ତାଙ୍କ ପାଇଁ ସଂଶୋଧିତ ଗାଇଡଲାଇନ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଡିସେମ୍ବର ପହିଲାରୁ ଏହି ଗାଇଡଲାଇନ ଲାଗୁ ହେବ । ସଂଶୋଧିତ ଗାଇଡଲାଇନ ଅନୁସାରେ, ଯାତ୍ରା ପୂର୍ବରୁ ୧୪ ଦିନର ଯାତ୍ରା ସମ୍ପର୍କିତ ବିବରଣୀ ଦେବାକୁ ପଡିବ । ସେହିଭଳି ଏୟାର ସୁବିଧା ପୋର୍ଟାଲରେ ଆରଟି-ପିସିଆର ନେଗେଟିଭ ରିପୋର୍ଟ ଅପଲୋଡ କରିବାକୁ ପଡିବ । ଏହି ରିପୋର୍ଟ ଯାତ୍ରାର ୭୨ ଘଂଟା ପୂର୍ବରୁ ହୋଇଥିବ । ବିଦେଶରୁ ଫେରୁଥିବା ସମସ୍ତ ଯାତ୍ରୀଙ୍କୁ ସେଲ୍ଫ ଡିକ୍ଲାରେସନ୍ ଫର୍ମ ପୂରଣ କରିବା ସହ ଆରଟି-ପିସିଆର୍ ନେଗେଟିଭ୍ ରିପୋର୍ଟ ଅପଲୋଡ୍ କରିବାକୁ ପଡିବ ।
ଯଦି ‘ଆଟ୍ ରିସ୍କ’ ବା ଓମିକ୍ରନ ପ୍ରଭାବିତ ଦେଶରୁ ଆସୁଥିବେ, ତେବେ ଫେରିବା ମାତ୍ରେ ଆରଟି-ପିସିଆର୍ ଟେଷ୍ଟ କରାଯିବ । ଯଦି ନେଗେଟିଭ୍ ରିପୋର୍ଟ ଆସେ, ତେବେ ୭ ଦିନିଆ ଘରୋଇ ସଙ୍ଗରୋଧରେ ରହିବେ । ଅଷ୍ଟମ ଦିନ ପୁଣି କରୋନା ପରୀକ୍ଷା କରାଯିବ । ନେଗେଟିଭ୍ ଆସିଲେ ଆଉ ୭ ଦିନ ନିଜ ସ୍ୱାସ୍ଥ୍ୟ ନେଇ ନିଜେ ଅନୁଧ୍ୟାନ କରିବେ । ପଜିଟିଭ୍ ଆସିଲେ ଜେନମ୍ ସିକ୍ୟୁଏନ୍ସିଂ ପାଇଁ ନମୁନା ପଠାଯିବ । ସେହିପରି ପ୍ରଭାବିତ ଦେଶରୁ ଆସିଥିବା ଯାତ୍ରୀଙ୍କ ବିମାନବନ୍ଦରରେ ପଜିଟିଭ୍ ହେଲେ ନମୁନା ଜେନମ୍ ସିକ୍ୟୁଏନ୍ସିଂ ପାଇଁ ପଠାଯିବ । ସେମାନଙ୍କୁ ପ୍ରୋଟୋକଲ ଅନୁସାରେ ଚିକିତ୍ସା କରାଯିବ । ସରକାରୀ ବା ସ୍ୱତନ୍ତ୍ର ସଙ୍ଗରୋଧ ସେଂଟରରେ ରଖାଯିବ ।