Odia News Portal

ସାଇବାବା ଭଗବାନଙ୍କ ଅବତାର

ଦାସଗଣୁ ଶିରିଡ଼ିରେ ବାବାଙ୍କ ସହିତ ରହୁଥିଲେ । ସେ ପଣ୍ଡରପୁର ଯାଇ ବିଠଲ ଭଗବାନଙ୍କ ଦର୍ଶନ ପାଇଁ ଇଚ୍ଛା କଲେ । ଏଥିପାଇଁ ସେ ବାବାଙ୍କ ଅନୁମତି ଲୋଡ଼ିଲେ । ବାବା କହିଲେ, ‘ଗଣୁ! ତୁମ ପାଇଁ ଶିରିଡ଼ି ହେଉଛି ପଣ୍ଡରପୁର । ତୁମେ ଏତେ ବାଟ ଯିବ କ’ଣ ପାଇଁ? ଦାସଗଣୁଙ୍କର ବାବାଙ୍କ ଉପରେ ଅଗାଧ ବିଶ୍ୱାସ ।

ସେ ଭାବିଲେ, ଯଦି ଶିରିଡ଼ି ହେଲା ପଣ୍ଡରପୁର, ତେବେ ଏଠାରେ ବିଠଲ କିଏ? ଏମିତି ଭାବି ଭାବି ସେ ହଠାତ୍‌ ଆଗକୁ ଚାହିଁଦେଲେ । ଦେଖିଲେ ବାବା ତାଙ୍କ ସାମ୍ନାରେ ବିଠଲ ରୂପରେ ଆବିର୍ଭାବ ହୋଇଛନ୍ତି । ଗଉଲିବୁଆ ବୋଲି ଜଣେ ଲୋକ । ସେ ବହୁତ ସମୟ ପଣ୍ଡର ପୁରରେ ରହି ବିଠଲ ଭଗବାନଙ୍କର ସେବା କରନ୍ତି । ହେଲେ ବେଳେବେଳେ ତୀର୍ଥ ଭ୍ରମଣରେ ଯାଆନ୍ତି । ସେ ଶିରିଡ଼ି ଆସିଲେ ବାବା ତାଙ୍କୁ ‘ବିଠଲ’ ରୂପରେ ଦର୍ଶନ ଦିଅନ୍ତି । ବମ୍ବେର ଜଣେ ଡାକ୍ତର ଭଗବାନ ଶ୍ରୀରାମଙ୍କର ଜଣେ ବଡ଼ ଉପାସକ । ସେ ସାଇବାବାଙ୍କୁ ଜଣେ ବଡ଼ ସନ୍ଥ ବୋଲି ଭାବୁ ନଥିଲେ । ସେ ଭାବୁଥିଲେ ସାଈବାବା ଜଣେ ପାଗଳା ଫକୀର । ଡାକ୍ତରଙ୍କର ଜଣେ ସାଙ୍ଗ ତାଙ୍କୁ ଶିରିଡ଼ି ଯିବା ପାଇଁ ବାଧ୍ୟ କଲେ । ଡାକ୍ତର କହିଲେ, ମୁଁ ତୁମ ସହ ଶିରିଡ଼ି ଯିବି । ହେଲେ ଜଣେ ସାଧାରଣ ଦର୍ଶକ ପରି ବାବାଙ୍କ ଗୋଡ଼ ତଳେ ପଡ଼ିବି ନାହିଁ । ସେମାନେ ଶିରିଡ଼ିରେ ଯାଇ ପହଞ୍ଚିଲେ ।ସେଠାକାର ପରିବେଶ ଦେଖି ଡାକ୍ତରଙ୍କ ମନ ବଦଳିଗଲା । ବାବାଙ୍କୁ ଖଣ୍ଡେ ଦୂରରୁ ଦେଖି ଡାକ୍ତରଙ୍କ ମନରେ ଅଫୁରନ୍ତ ଭକ୍ତିଭାବ ଦେଖାଦେଲା ।

ସେ ବାବାଙ୍କ ପାଖକୁଦୌଡ଼ି ଯାଇ ବାବାଙ୍କ ଗୋଡ଼ ତଳେ ପଡ଼ିଗଲେ । ସବୁ ଜାଣିଲା ପରି ବାବା ଟିକିଏ ହସି ଦେଇ ଆଶୀର୍ବାଦ ଦେଲେ । ଡାକ୍ତର ଓ ତାଙ୍କ ସାଙ୍ଗ ଶିରିଡ଼ିରୁ ଫେରିଲେ । ଫେରିବାବେଳେ ସାଙ୍ଗ କହିଲେ,“କ’ଣ ହେଲା ଡାକ୍ତର ବାବୁ? ତୁମେ କହିଥିବା କଥା କ’ଣ ଭୁଲିଗଲ?” ଡାକ୍ତର କହିଲେ “ହଁ ବାବାଙ୍କୁ ଦେଖୁଦେଖୁ ମୁଁ ଯାହା ଭାବି ଆସିଥିଲି, ସେ ସବୁ ଭୁଲିଗଲି । ବାବାଙ୍କ ସ୍ଥାନରେ ମୁଁ ଦର୍ଶନ କଲି ଅଯୋଧ୍ୟାର ଶ୍ରୀରାମଙ୍କୁ । ତେଣୁ ଦୌଡ଼ି ଯାଇ ତାଙ୍କ ପାଦ ତଳେ ପଡ଼ିଗଲି । ଏହା କହିବାବେଳେ ଡାକ୍ତରଙ୍କ ଆଖିରୁ ଆନନ୍ଦାଶ୍ରୁ ବୋହି ପଡ଼ିଲା ।