Odia News Portal

XXX’ରେ ଆପତ୍ତିଜନକ ଦୃଶ୍ୟକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ;

ବଲିଉଡ୍ ତଥା ଟିଭି ଜଗତର ଜଣାଶୁଣା ନିର୍ମାତା ଏକତା କପୁରଙ୍କ ‘ଟ୍ରିପଲ୍ ଏକ୍ସ’ରେ ଆପତ୍ତିଜନକ ଦୃଶ୍ୟକୁ ନେଇ ସୁପ୍ରିମକୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି । ଏକତା ଦେଶର ଯୁବପୀଢ଼ିଙ୍କ ମସ୍ତିଷ୍କକୁ ପ୍ରଦୂଷିତ କରୁଥିବା କହିଛନ୍ତି ସୁପ୍ରିମକୋର୍ଟ । ଓଟିଟି ପ୍ଲାଟଫର୍ମ ଅଲ୍ଟ ବାଲାଜୀର ୱେବ ସିରିଜ୍ ‘ଟ୍ରିପଲ୍ ଏକ୍ସ’ରେ ସେନା ଓ ସେମାନଙ୍କ ପରିବାରର ଭାବାବେଗକୁ ଆଘାତ ଦେଇଥିବା ନେଇ ବେଗୁସରାଇର ଜଣେ ପୂର୍ବତନ ସେନା ସ୍ଥାନୀୟ କୋର୍ଟରେ ଅଭିଯୋଗ କରିଥିଲେ ।

ଯାହା ପରେ କୋର୍ଟ ଏକତାଙ୍କ ବିରୋଧରେ ଜାମିନବିହୀନ ପରୱାନା ଜାରି କରିଥିଲେ । ବେଗୁସରାଇ କୋର୍ଟଙ୍କ ୱାରେଣ୍ଟ ବିରୋଧରେ ଏକତା କପୁର ପ୍ରଥମେ ପଟନା କୋର୍ଟରେ ଆବେଦନ କରିଥିଲେ । କିନ୍ତୁ ହାଇକୋର୍ଟ ଶୁଣାଣିରେ ବିଳମ୍ବ କରିବାରୁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସର୍ବୋଚ୍ଚ ଅଦାଲତ ଏକତାଙ୍କ ଆବେଦନ ଉପରେ କୌଣସି ଆଦେଶ ଦେବା ପରିବର୍ତ୍ତେ ମାମଲାକୁ ସ୍ଥଗିତ ରଖିଛନ୍ତି । ହାଇକୋର୍ଟରେ ଶୁଣାଣିର ସ୍ଥିତି ଜାଣିବା ପାଇଁ ସ୍ଥାନୀୟ ଓକିଲଙ୍କ ସହାୟତା ନେବାକୁ ସୁପ୍ରିମକୋର୍ଟ ତାଙ୍କୁ ପରାମର୍ଶ ଦେଇଛନ୍ତି ।