କାହିଁକି ସୀତାଙ୍କୁ ହରଣ କରିବା ପରେ ବି ତାଙ୍କୁ ସ୍ପର୍ଶ କରିନଥିଲେ ରାବଣ? ରାବଣଙ୍କୁ ମିଳିଥିଲା କି କିଛି ଅଭିସାପ? ନା କିଛି ନିୟମର ରଜ୍ଜୁରେ ବାନ୍ଧିହୋଇଥିଲେ ଲଙ୍କାପତି! କୁହାଯାଏ କାମନାର ବସବର୍ତ୍ତି ହୋଇ ଏମିତି କିଛି କରିଥିଲେ ଲଙ୍କାପତି ରାବଣ, ଯେଉଁଥି ପାଇଁ ତାଙ୍କ ଉପରେ ପଡ଼ିଥିଲା ଅଭିସାପ। ପୁରାଣ କୁହେ ସମୁଦ୍ରଗର୍ଭୀରୁ ଜନ୍ମ ନେଇଥିବା ଚଉଦ ରତ୍ନ ମଧ୍ୟରୁ ଜଣେ ଥିଲେ ରମ୍ଭା। ସ୍ବର୍ଗପୂରୀର ଶ୍ରେଷ୍ଠ ଅପସରା। ଦେବଗଣିକା ହୋଇଥିଲେ ବି ସତ୍ୟବାଦିତା ଓ ସାଧୁତା ତାଙ୍କୁ ଚିରବନ୍ଧ୍ୟା କରି ରଖିଥିଲା।
କୁହାଯାଏ ଇନ୍ଦ୍ରଙ୍କ ଗୋଟିଏ ଇସାରାରେ ରମ୍ଭା, ମେନକା ଓ ଉର୍ବଶୀ ମର୍ତ୍ତ୍ୟଲୋକକୁ ଆସି ମୁନିଋଷି ମାନଙ୍କର ତପସ୍ୟା ଭଙ୍ଗ କରୁଥିଲେ। ଏବଂ ସେମାନଙ୍କ ଅଭିସାପର ବି ଶିକାର ହେଉଥିଲେ। ରମ୍ଭାଙ୍କୁ ମଧ୍ୟ ହଜାରେ ବର୍ଷ ଶିଳା ହୋଇ ରହିବାର ଅଭିସାପ ମିଳିଥିଲା। ଶିଳା ଶରୀରରେ ରହି ମଧ୍ୟ ସେ ଶିବ ଉପାସନା କରିଥିଲେ। ଫଳରେ ସ୍ବେତମୁନିଙ୍କ କୃପାରୁ ସେ ତାଙ୍କର ପୂର୍ବ ସ୍ବରୁପ ଫେରିପାଇଥିଲେ ଏବଂ କୁବେରଙ୍କ ଅନୁକମ୍ପା ଲାଭ କରିବା ପରେ ରମ୍ଭା ଅଳକାପୁରୀରେ ବାସ କଲେ।
ଥରେ କୁବେରପୁତ୍ର ନଳକୁବେରଙ୍କର ନିମନ୍ତ୍ରଣରେ ତାଙ୍କ ପୁରକୁ ଯାତ୍ରା କରିବା ବେଳେ ଦୂରାଚାରୀ ରାବଣ ଦ୍ବାରା ଲୁଣ୍ଠନର ଶିକାର ହୋଇଥିଲେ ରମ୍ଭା। ଏକଥା ନଳକୁବେରଙ୍କୁ ଜଣାଇବା ପରେ ନଳକୁବେର ରାବଣଙ୍କୁ ଅଭିସାପ ଦେଇଥିଲେ ଯେ, କାମୁକ ହୋଇ ଯଦି ତୁମେ କୌଣସି ନାରୀକୁ ସ୍ପର୍ଶ କର ତେବେ ତୁମ ମସ୍ତକ ୭ ଖଣ୍ଡ ହୋଇଯିବ। ଆଉ ଏଇଥି ପାଇଁ ମାତା ସୀତାଙ୍କୁ ସ୍ପର୍ଶ କରିବାକୁ ରାବଣ ସାହାସ କରିପାରିନଥିଲେ ବୋଲି ପୂରାଣ କୁହେ। ତ୍ରେତୟାରେ ଦେବଗଣିକା ଥିଲେ ବି ଯେହେତୁ ରମ୍ଭା ସାଧୁତା ଓ ବିନମ୍ରତାର ପ୍ରତିକ ଥିଲେ ତେଣୁ ଆଜି ବି ବିବାହ ପୂର୍ବରୁ ଅନେକ ଯୁବତି ଓ ବିବାହ ପରେ ବି ଅନେକ ମହିଳା ରମ୍ଭାତୃତୀୟା ବ୍ରତ କରନ୍ତି।