୭୦-୮୦ ଦଶକରେ ଅନେକ ଅଭିନେତ୍ରୀ ହିନ୍ଦୀ ଫିଲ୍ମ ଦୁନିଆରେ ପ୍ରବେଶ କରିଥିଲେ। ଏମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ଥିଲେ ଭେଟେରାନ ଅଭିନେତ୍ରୀ ଶର୍ମିଲା ଟାଗୋର। ସେ ସଂପ୍ରତି ସିନେମା ‘ଗୁଲମୋହର’ ଜରିଆରେ ପରଦାକୁ ଫେରୁଛନ୍ତି। ଏଥିରେ ମନୋଜ ବାଜେପେୟୀ ଶର୍ମିଲାଙ୍କ ସହିତ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଦୀର୍ଘ ଏକ ଦଶନ୍ଧିରୁ ଅଧିକ କାଳ ଧରି ଶର୍ମିଲା ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ତାଙ୍କ ଅଭିନୀତ ଶେଷ ସିନେମା ୨୦୧୦ରେ ଆସିଥିଲା, ଯାହାର ଶୀର୍ଷକ ଥିଲା ‘ବ୍ରେକ କେ ବାଦ’।
ଶର୍ମିଲା ‘କଶ୍ମୀରକି କଲି’, ‘ଅମର ପ୍ରେମ’, ‘ଆରାଧନା’ ଭଳି ସୁପରହିଟ୍ ଫିଲ୍ମରେ ନାୟିକା ଭାବେ ଅଭିନୟ କରିଛନ୍ତି। ଶର୍ମିଲା ଆନ୍ଧ୍ରପ୍ରଦେଶର ଏକ ହିନ୍ଦୁ ବଙ୍ଗୀୟ ପରିବାରରେ ଜନ୍ମ ହୋଇଥିଲେ। ସେ ଭାରତୀୟ କ୍ରିକେଟର ତଥା ପଟୌଦି ରାଜବଂଶର ନବାବ ମନନସୁର ଅଲ୍ଲୀ ଖାନଙ୍କୁ ବିବାହ କରିଥିଲେ।
ନିକଟରେ ଶର୍ମିଲା ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ‘କେବଳ ଟଙ୍କା ପାଇଁ ମୁଁ ସିନେମା ଦୁନିଆରେ ପାଦ ଦେଇଥିଲି। ଅଭିନୟ ପ୍ରତି ଏତେଟା ରୁଚି ନଥିଲେ ବି ସିନେମା ଦୁନିଆ ଆଡକୁ ମୁହାଁଇଥିଲି। କାରଣ ଗୋଟିଏ ସିନେମା ସାଇନ କଲେ ଏକାଥରକେ ମୋଟା ଅଙ୍କର ଟଙ୍କା ମିଳିଥାଏ, ଯାହାକି ମୋତେ ଘର ଭଡ଼ା ଦେବାକୁ ସୁବିଧା ହେଉଥିଲା। କାରଣ ସେତେବେଳେ ଘର ଭଡ଼ା ଦେବାକୁ ମୋ ପାଖରେ ଟଙ୍କା ନଥିଲା।
୧୨ବର୍ଷ ପରେ ପରଦାକୁ ଫେରୁଛି। ଏହା ପଛରେ ବି କାରଣ ଅଛି। କାରଣ ‘ଗୁଲମୋହର’ ସିନେମାରେ ଥିବା କୁସୁମ ଚରିତ୍ର ମୋତେ ଖୁବ ପସନ୍ଦ ଆସିଛି।’