ସଞ୍ଜୟ ଲୀଲା ଭଂସାଲୀ ବଡ଼ ସେଟ୍, ମହଙ୍ଗା ଏବଂ ଉତ୍କୃଷ୍ଟ ଚଳଚ୍ଚିତ୍ର ନିର୍ମାଣ ପାଇଁ ବଲିଉଡରେ ଜଣାଶୁଣା। ବଡ଼ ପରଦାରେ ସଫଳତା ହାସଲ କରିବା ପରେ ସଞ୍ଜୟ ଲୀଲା ଭଂସାଲୀ ‘ହୀରାମଣ୍ଡି’ ସହିତ ଡିଜିଟାଲ ଡେବ୍ୟୁ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ‘ହୀରାମଣ୍ଡି’ର ପ୍ରଥମ ଲୁକ୍ ଫେବ୍ରୁଆରି ୧୮ରେ ମୁକ୍ତିଲାଭ କରିଥିଲା । ପ୍ରଥମ ଲୁକ୍ ଆସିବା ପରେ ଏହାକୁ ଦେଖିବା ପାଇଁ ଏବେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ଫିଲ୍ମକୁ ନେଇ ସାକ୍ଷାତକାର ଦେବା ସମୟରେ ସଞ୍ଜୟ ଲୀଲା ଭଂସାଲୀ ନିଜ କାମକୁ ନେଇ ଅନେକ ଖୁଲାସା କରିଥିଲେ।
ସେ କହିଥିଲେ ଯେ ମୁଁ ଜଣେ ଟାସ୍କ ମାଷ୍ଟର ନୁହେଁ। ମୋତେ ନେଇ ଏଭଳି ଏକ ପ୍ରତିଛବି ତିଆରି କରିଦିଆଯାଇଛି ଯେ ମୋ ସହିତ କାମ କରିବା ସହଜ ନୁହେଁ। ମୁଁ ରାଗୀ ଏବଂ ମୋ ସହ କାମ କରିବା କଷ୍ଟକର। ସେଭଳି କିଛି ବି ନୁହେଁ। ସୁଟିଂ ସମୟରେ ମୁଁ କଳାକାରଙ୍କ ସହିତ ବସିଥାଏ। ଫିଲ୍ମରେ ଥିବା ଦୃଶ୍ୟ ବିଷୟରେ ଆଲୋଚନା କରେ। ମୁଁ ତାଙ୍କ ମୁଣ୍ଡରେ କ’ଣ ଚାଲିଛି ତାହା ଜାଣିବାକୁ ଚେଷ୍ଟା କରେ ଆଉ ସେମାନେ ମୋ ମୁଣ୍ଡରେ କ’ଣ ଚାଲିଛି ତାହା ଜାଣିବାକୁ ଚେଷ୍ଟା କରନ୍ତି। ପରସ୍ପରର ମୁଣ୍ଡରେ କ’ଣ ଚାଲିଛି ତାହା ଜାଣି ପାରିଲେ ହିଁ ପରଦାରେ ଯାଦୁ ସୃଷ୍ଟି ହୁଏ। ଯାହାର ଶ୍ରେୟ ମୁଁ ନିଏ ଏବଂ ଏହି ଯାଦୁ ମୁଁ କରିଥିବା କହେ। ଗୋଟିଏ ଦୃଶ୍ୟକୁ ଜୀବନ୍ତ କରିବାକୁ ଏହାକୁ ବୁଝିବା ଜରୁରୀ, ଯାହା ମୁଁ କଳାକାରଙ୍କୁ କହିଥାଏ।