ମୁମ୍ବାଇ() ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତି । ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଓ ଅର୍ଥନୈତିକ ଅପରାଧ ମାମଲାରେ ପୁଣି ତାଙ୍କୁ ପଚରା ଉଚରା କରିବ ଇଡି । ଗତ ୭ ତାରିଖରେ ଇଡି ଅଧିକାରୀ ରିୟାଙ୍କୁ ୮ ଘଂଟା ଜେରା କରିଥିଲା । ତେବେ ରିୟାଙ୍କ ଜବାବରେ ଇଡି ସନ୍ତୁଷ୍ଟ ହୋଇନଥିବାରୁ ଆଜି ପୁଣି ପଚରା ଉଚରା ପାଇଁ ଡକାଯାଇଛି । ଆଜି ରିୟାଙ୍କୁ ଗତ ଦୁଇ ବର୍ଷର ନିବେଶ ଉପରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଅଧିକାରୀ ପ୍ରଶ୍ନ କରିପାରନ୍ତି । ଇଡି ସନ୍ଦେହ କରୁଛି କିଛି ଏମିତି ପୁଞ୍ଜି ନିବେଶ ରହିଛି, ଯାହା ବାବଦରେ ମୁହଁ ଖୋଲୁ ନାହାନ୍ତି ରିୟା । ଏହାଛଡା ସୁଶାନ୍ତଙ୍କ ଆକାଉଂଟରୁ ରିୟାକୁ ଟ୍ରାନସଫର ହୋଇଥିବା ଟଙ୍କାର ଖର୍ଚ୍ଚ ହିସାବ ମାଗାଯାଇପାରେ ।
ସେହିପରି ସୁଶାନ୍ତଙ୍କ ଗତ ଦୁଇ ବର୍ଷରେ କେଉଁସବୁ ସଂସ୍ଥାର ପୁଞ୍ଜି ନିବେଶ କରିଥିଲେ ସେନେଇ ମଧ୍ୟ ରିଆଙ୍କୁ ପ୍ରଶ୍ନ କରାଯିବ । ସୁଶାନ୍ତଙ୍କ ଇନଭେଷ୍ଟମେଂଟରେ ରିୟା କିମ୍ବା ତାଙ୍କ ପରିବାର ସଦସ୍ୟ ନୋମିନି ଥିଲେ ନା ନାହିଁ ତାହା ରିୟାଙ୍କ ଠାରୁ ଜାଣିବାକୁ ଉଦ୍ୟମ କରିବେ ଇଡି ଅଧିକାରୀ । ରିୟା ସମେତ ଭାଇ ସୌଭିକ ଚକ୍ରବର୍ତି, ପିତା ଇନ୍ଦ୍ରଜିତ୍ ଚକ୍ରବର୍ତି ଓ ସୁଶାନ୍ତଙ୍କ ବିଜନେସ୍ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ମଧ୍ୟ ପଚରାଉଚରା କରାଯିବ । ସୌଭିକଙ୍କୁ ଶନିବାର ପ୍ରାୟ ୧୮ଘଂଟା ଧରି ଜେରା କରାଯାଇଥିଲା ।ସୌଭିକଙ୍କୁ ଶନିବାର ଦିନ ଓ ରାତି ସାରା ପଚରାଉଚରା କରିଥିଲେ ଇଡିର ବରିଷ୍ଠ ଅଧିକାରୀ ।