ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଜଣାଶୁଣା ନାମ ପିଣ୍ଟୁ ନନ୍ଦ। ସେ ୧୯୭୭ ମସିହା ଜୁଲାଇ ୭ରେ ଜଗତସିଂହପୁର ଜିଲ୍ଲା ଓଡ଼ିଶ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଅଶୋକ କୁମାର ନନ୍ଦ ଓ ମାତା କାନ୍ତିଲତା ନନ୍ଦ। ସେମାନେ ଦୁଇ ଭାଇ ଓ ଗୋଟିଏ ଭଉଣୀ। ତାଙ୍କ ବଡ଼ ଭାଇ ଅଭିରାମ ନନ୍ଦ ଜଣେ ବଂଶୀବାଦକ। ପିଣ୍ଟୁ ଜଗତସିଂହପୁରର ଏସ୍. କେ ଏକାଡେମିରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ।
ପିଣ୍ଟୁ ପ୍ରଥମେ ଓଡ଼ିଆ ଦୂରଦର୍ଶନ ଜରିଆରେ ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ୧୯୯୬ ମସିହାରେ ଓଡ଼ିଆ ଚଳଚ୍ଚିତ୍ର କୋଇଲି ଜରିଆରେ ଓଡ଼ିଆ ସିନେ ଜଗତରେ ପ୍ରବେଶ କରିଥିଲେ। ଏଥିସହ ସେ ଓଡ଼ିଆ ଆଲ୍ବମ୍ରେ ଅଭିନୟ ମଧ୍ୟ କରିଥିଲେ। ‘ଏ ଗଉରା କ’ଣ ଖାଉଚୁ’ ଆଲବମ୍ ପିଣ୍ଟୁଙ୍କୁ ସବୁଠୁ ଅଧିକ ଲୋକପ୍ରିୟ କରାଇଥିଲା।
ଏହାପରେ ସେ ରାମ ଲକ୍ଷ୍ମଣ, ତୋ ଆଖି ମୋ ଆଇନା, ରଙ୍ଗ୍ ନମ୍ବର, ବାହୁଡ଼ିବେ ମୋ ଜଗା ବଳିଆ, ଓ ମାଇଁ ଲଭ୍, ଆଇ ଲଭ୍ ୟୁ, ଆଇ ଲଭ୍ ମାଇଁ ଇଣ୍ଡିଆ, ପ୍ରେମ ରୋଗୀ, ଜୟ ଜଗନ୍ନାଥ, ନନ୍ଦିନୀ ଆଇ ଲଭ୍ ୟୁ, ମିତରେ ମିତ, ମୁଁ କ’ଣ ଏତେ ଖରାପ, ସ୍ୱୟଂସିଦ୍ଧା, ପହିଲି ରଜ, ପ୍ରେମ ଅଢ଼େଇ ଅକ୍ଷର, ଦୋସ୍ତି, ଶପଥ, ଗୁଡ୍ ବୟ, ଲଭ୍ ମାଷ୍ଟର, ହରି ଓମ ହର, ଡାହା ବାଳୁଙ୍ଗା, ସୁନା ପିଲା ଟିକେ ସ୍କୃ ଢିଲା ଆଦି ସିନେମାରେ ଅଭିନୟ କରିଥିଲେ। ରଙ୍ଗ୍ ନମ୍ବର ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ପାଇଥିଲେ। ଏଥିସହ ସେ ଓଡ଼ିଆ ଧାରାବାହିକ ଶଙ୍ଖା ସିନ୍ଦୂରରେ ଅଭିନୟ କରିଥିଲେ। ସେ ଗୃହଲକ୍ଷ୍ମୀ ଭଳି କିଛି ଦୂରଦର୍ଶନ କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ କାର୍ଯ୍ୟ କରିଥିଲେ। ନିଜ ନିଖୁଣ ଅଭିନୟ ଦ୍ୱାରା ଚଳଚ୍ଚିତ୍ର ଏବଂ ଧାରାବାହିକରେ ସେ ଛାଡ଼ିଯାଇଥିବା ଛାପ ତାଙ୍କୁ ଦର୍ଶକଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ।