Odia News Portal

୨୫ ସିନେମା ହଲରେ ମୁକ୍ତିଲାଭ କଲା ‘ବାଜିବ ଲୋ ସାହାନାଇ’

‘ଆର୍‌ଜେଡି ଆର୍ଟସ୍’ ନିବେଦିତ ଓଡ଼ିଆ ସିନେମା ‘ବାଜିବ ଲୋ ସାହାନାଇ’ ଆଜି ମୁକ୍ତିଲାଭ କରିଛି। ଭୁବନେଶ୍ବରସ୍ଥିତ ସିନେପଲିସ୍‌ ସମେତ ରାଜ୍ୟର ୨୫ଟି ପ୍ରେକ୍ଷାଳୟ‌ରେ ଏହା ପ୍ରଦର୍ଶିତ ହୋଇଛି। ଏଥିରେ ଅମ୍ଳାନ୍, ଝିଲିକ୍ ଓ ସମ୍ବିତ ମୁଖ୍ୟ ଭୂମିକାରେ ରହିଥିବା ବେଳେ ସ୍ବର୍ଗତ ରାଇମୋହନ ପରିଡ଼ାଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏମାନଙ୍କ ବ୍ୟତୀତ ହୃଷୀକେଶ, ଅଶ୍ରୁମୋଚନ, ଜୟୀରାମ ସାମଲ, ପ୍ରତିଭା ପଣ୍ଡା ଓ ଆଶୁତୋଷଙ୍କୁ ମଧ୍ୟ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ।

ଚଳଚ୍ଚିତ୍ରଟି ଏକ ପାରିବାରିକ କାହାଣୀ ଉପରେ ପର୍ଯ୍ୟବସିତ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରଚାରପ୍ରସାର ଦାୟିତ୍ବରେ ଥିବା ଅମରେଶ କହିଛନ୍ତି। ଜନ୍ମେଞ୍ଜୟ ଡୋଗରାଙ୍କ ପ୍ରଯୋଜିତ ଏହି ସିନେମାର କାହାଣୀ ଓ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ଆଶୁତୋଷ ମହାପାତ୍ର। ସଂଳାପ ଲେଖିଛନ୍ତି ବିଶ୍ବ ଓ ଆଶୁତୋଷ। ସଙ୍ଗୀତ ସଜାଇଛନ୍ତି ଅମୃତାଂଶୁ ଓ ତାପସ। ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସାଗର ଓ ବିଭୁକିଶୋର।