Odia News Portal

ଏଲନ୍ ମସ୍କ ଘୋଷିତ କଲେ ନୂତନ ଟୁଇଟର୍ ‘ସିଇଓ’ !

ପରାଗ ଅଗ୍ରୱାଲ୍‌ଙ୍କ ଅପେକ୍ଷା ଯଥେଷ୍ଟ ଭଲ ବୋଲି କହି ଏଲନ୍ ମସ୍କ୍ ଆଜି ‘ଟୁଇଟର୍’ର ନୂଆ ‘ସିଇଓ’ଙ୍କ ପରିଚୟ କରାଇଛନ୍ତି। ମଜାର କଥା ହେଲା ‘ଟୁଇଟର୍’ର ନୂଆ ‘ସିଇଓ’ ମଣିଷ ନୁହେଁ, ଗୋଟାଏ କୁକୁର।
ସେ ହେଉଛି ମସ୍କ୍‌ଙ୍କ ‘ସିବା ଇନୁ’ ପ୍ରଜାତିର ପୋଷା କୁକୁର ‘ଫ୍ଲୋକି’। ସୂଚନାଯୋଗ୍ୟ, ‘ସିବା ଇନୁ’ ପ୍ରଜାତିର କୁକୁର ଜାପାନରେ ଖୁବ୍ ଆଦରଣୀୟ। ଜାପାନୀ ଭାଷାରେ ‘ଇନୁ’ର ଅର୍ଥ କୁକୁର ଏବଂ ସେଠାକାର ଅତି ପ୍ରାଚୀନ ଭାଷାରେ ‘ସିବା’ର ଅର୍ଥ ହେଉଛି ଟିକି।
ମସ୍କ୍‌ଙ୍କର ଧାରଣା ପରାଗ ଅଗ୍ରୱାଲ୍‌ଙ୍କ ଅପେକ୍ଷା ତାଙ୍କ କୁକୁର ‘ଫ୍ଲୋକି’ ଅଧିକ ପାରଙ୍ଗମ। ୪୪ ବିଲିୟନ୍ ଡଲାର୍ରେ ‘ଟୁଇଟର୍’କୁ ଖରିଦ କରିବାକ୍ଷଣି ମସ୍କ୍ ଅଗ୍ରୱାଲ୍‌ଙ୍କ ବହିଷ୍କାର କରିଥିଲେ। ଅଗ୍ରୱାଲ୍‌ଙ୍କ ସହିତ ‘ଟୁଇଟର୍’ର ଆଇନ ମୁଖ୍ୟ ବିଜୟ ଗାଡ୍ଡେ ଏବଂ ‘ସିଏଫ୍ଓ’ ନେଲ୍ ସିଗଲ୍‌ଙ୍କୁ ମଧ୍ୟ ବହିଷ୍କାର କରାଯାଇଥିଲା।
ମସ୍କ୍ ସେୟାର୍ କରିଥିବା ଫଟୋରେ ଦେଖାଯାଉଛି ‘ସିଇଓ’ ଚେୟାର୍ରେ ବସିଛି ଟିକି କୁକୁର ‘ଫ୍ଲୋକି’। ପିନ୍ଧିଛି ‘ସିଇଓ’ ଲେଖା ଯାଇଥିବା କଳା ଟି-ସାର୍ଟ। ଏହାଛଡ଼ା ତା’ ଗୋଡ଼ର ଛାପ ଥିବା କେତୋଟି କାଗଜପତ୍ର ମଧ୍ୟ ତା’ ଆଗରେ ପଡ଼ିଥିବା ଟେବୁଲ୍ ଉପରେ ରହିଛି। କାଳେ ଜରୁରୀ ଇ-ମେଲ୍ କରିବାକୁ ପଡ଼ିବ, ସେଥିପାଇଁ ତା’ ସାମ୍ନାରେ ରଖାଯାଇଛି ‘ଟୁଇଟର୍’ ଲୋଗୋ ଚିହ୍ନିତ ଗୋଟାଏ ଲାପ୍ଟପ୍।
ଫଟୋ ସେୟାର୍ କରି ମସ୍କ୍ ଲେଖିଛନ୍ତି, ‘ଟୁଇଟର୍’ର ନୂଆ ‘ସିଇଓ’ ବଡ଼ ଅଦ୍ଭୁତ। ଅନ୍ୟ ଏକ ‘ଟୁଇଟ୍’ରେ ସେ ଲେଖିଛନ୍ତି, ଅନ୍ୟ ବ୍ୟକ୍ତି ଅପେକ୍ଷା ‘ଟୁଇଟର୍’ର ନୂଆ ‘ସିଇଓ’ ଯଥେଷ୍ଟ ଭଲ। ସୂଚନାଯୋଗ୍ୟ, ସେ ‘ଟୁଇଟର୍’ର ପୂର୍ବତନ ‘ସିଇଓ’ ପରାଗ ଅଗ୍ରୱାଲ୍‌ଙ୍କୁ ଦର୍ଶାଇବା ପାଇଁ ‘ଅନ୍ୟ ବ୍ୟକ୍ତି’ ଲେଖିଛନ୍ତି।
ସେହିପରି, ‘ଫ୍ଲୋକି’ ଚଷମା ଓ ଫର୍ମାଲ୍ ପୋଷାକ ପିନ୍ଧି ଚେୟାର୍ରେ ବସିଥିବା ଆଉ ଏକ ଫଟୋ ମଧ୍ୟ ମସ୍କ୍ ସେୟାର୍ କରିଛନ୍ତି। ସୂଚନାଯୋଗ୍ୟ, ଆନୁଷ୍ଠାନିକ ଭାବେ ନୁହେଁ, କେବଳ କୌତୁକ ପାଇଁ ମସ୍କ୍ ‘ଫ୍ଲୋକି’କୁ ‘ଟୁଇଟର୍’ର ‘ସିଇଓ’ ବୋଲି ଉଲ୍ଲେଖ କରିଛନ୍ତି।