ମୁମ୍ବାଇ : ଅମ୍ପନ୍ ବାତ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ ଶେଷ ହୋଇଛି । ଏହି ପ୍ରଳୟଙ୍କରୀ ବାତ୍ୟାରେ ଓଡ଼ିଶା ଓ ପଶ୍ଚିମବଙ୍ଗ ସର୍ବାଧିକ କ୍ଷତି ସାମ୍ନା କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ଏହି ଦୁଇ ରାଜ୍ୟର ଲୋକମାନଙ୍କୁ ବିଭିନ୍ନ ମହଲରୁ ସାହାଯ୍ୟର ସୁଅ ଛୁଟିଛି । ବଲିଉଡ୍ର ଅନେକ ସେଲିବ୍ରିଟି ମଧ୍ୟ ଏଥିପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି । ଏହି କ୍ରମରେ ଅଭିନେତ୍ରୀ ମୌନି ରୟ ଏକ ଏନ୍ଜିଓ ସହିତ ହାତ ମିଳେଇଛନ୍ତି ।
ପାଣ୍ଠି ସଂଗ୍ରହ ନିମନ୍ତେ ନିଜ ପେଣ୍ଟିଂଗୁଡ଼ିକର ନିଲାମ ପାଇଁ ସେ ଅଫର୍ କରିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ମୌନି କହିଛନ୍ତି, ବାତ୍ୟାରେ ସର୍ବାଧିକ ପ୍ରଭାବିତ ଲୋକଙ୍କ ସାହାଯ୍ୟ ନିମନ୍ତେ ସେ ଏହି ତରିକା ଆପଣେଇଛନ୍ତି । ପେଣ୍ଟିଂ ନିଲାମ ଲାଗି ଲୋକେ ଉଦାରତାପୂର୍ବକ ବୋଲି ଲଗାଇବେ ବୋଲି ସେ ଆଶା କରୁଛନ୍ତି । ସାକ୍ଷାତକାରରେ ସେ ଆହୁରି ଖୁଲାସା କରିଛନ୍ତି, ପ୍ରାରମ୍ଭିକ ସ୍ତରରେ ସେ ଉଦ୍ବେଗର ଶିକାର ହୋଇଥିଲେ ମଧ୍ୟ ସଙ୍ଗେ ସଙ୍ଗେ ସାଧାରଣ ଜୀବନକୁ ଆପଣେଇ ନେଇଥିଲେ ।
ବେଶ କିଛି ଦିନ ଘରେ ରହିବା ପରେ ସେ ଠିକ୍ ଅଛନ୍ତି । ଇତିମଧ୍ୟରେ ସମୟ ଯାହା ତାଙ୍କୁ ଶିଖାଇଛି ଓ ସେ ଯାହା କିଛି ପାଇଛନ୍ତି, ସେ ସବୁ ପାଇଁ ନିଜକୁ କୃତଜ୍ଞ ମନେକରୁଛନ୍ତି । ଜୀବନକୁ ତା’ରି ଦିଗରେ ଜିଇଁବା ଶିଖିଗଲେ, ଜୀବନ ଖୁବ୍ ସହଜ ହୋଇଯାଏ ବୋଲି ମୌନି କହନ୍ତି । କରୋନା ଭାଇରସ୍ ଲକ୍ଡାଉନ୍ ପରେ ଜନଜୀବନ ଧୀରେ ଧୀରେ ସାଧାରଣ ହେଉଥିବାବେଳେ ଫିଲ୍ମ ଇଣ୍ଡଷ୍ଟ୍ରି ପୁଣି ଥରେ ଟ୍ରାକ୍କୁ ଫେରିବାକୁ ପ୍ରସ୍ତୁତ ହେଉଛି । ପୁଣି ଥରେ କାମକୁ ଫେରିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ମୌନି । ଶେଷ ଥର ଫିଲ୍ମ ‘ମେଡ୍ ଇନ୍ ଚାଇନା’ରେ ରାଜକୁମାର ରାଓଙ୍କ ଅପୋଜିଟ୍ରେ ବିଗ୍ ସ୍କ୍ରିନ୍ରେ ସେ ନଜର ଆସିଥିଲେ । ଏବେ ତାଙ୍କ ସିନେ ତାଲିକାରେ ‘ବ୍ରହ୍ମାସ୍ତ୍ର’ ଓ ‘ମୋଗୁଲ’ ରହିଛି ।