Odia News Portal

ଅନୁଷ୍ଠିତ ହୋଇଯାଇଛି ୮ମ ରାଜ୍ୟ ଟେଲି ପୁରସ୍କାର

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍ଡିସି) ମିଳିତ ସହଯୋଗରେ ୮ମ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ ଉତ୍ସବ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୧୯ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା। ସନ୍ଧ୍ୟାରେ ଅତିଥିଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ବିଭାଗୀୟ ନିର୍ଦେଶକ ରଞ୍ଜନ କୁମାର ଦାସ ଏବଂ ଓଏଫ୍ଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ ଯୋଗ ଦେଇଥିଲେ।
ଚଳିତ ବର୍ଷ ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ଭାବେ ‘କାଳିଆ କରୁଛି ଲୀଳା’କୁ ପୁରସ୍କୃତ କରାଯାଇଥଲା। ଏନେଇ ପ୍ରଯୋଜକ ଦେବାଶିଷ ପାତ୍ର ଓ ନିର୍ଦେଶକଙ୍କୁ ପୁରସ୍କୃତ କରାଯାଇଥିଲା। ପୁରସ୍କାର ସ୍ୱରୂପ ପ୍ରଯୋଜନା ପାଇଁ ୧୫ହଜାର ଓ ନିର୍ଦେଶନା ପାଇଁ ୧୦ହଜାର ଟଙ୍କାର ଅର୍ଥରାଶି ସହ ଉତ୍ତରୀୟ, ମାନପତ୍ର, ସ୍ମୃତିଫଳକ ପ୍ରଦାନ କରାଯାଇଥିଲା। ସେହିପରି ଶ୍ରେଷ୍ଠ ଟେଲି ଧାରାବାହିକ ଭାବେ ‘ସର୍ଗମ୍’ ପୁରସ୍କୃତ ହୋଇଥିଲା। ପୁରସ୍କାର ସ୍ୱରୂପ ୫୦ ହଜାର ଟଙ୍କାର ଅର୍ଥରାଶି ସହ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଅଙ୍ଗବସ୍ତ୍ର, ମାନପତ୍ର, ସ୍ମୃତିଫଳକ ପ୍ରଦାନ କରାଯାଇଥିଲା। ସେହିପରି ଟେଲି ଧାରାବାହିକ ନିର୍ଦେଶକ ଭାବେ ସେଇ ‘ସର୍ଗମ୍’ ପାଇଁ ଚଣ୍ଡୀ ପରିଜା ପୁରସ୍କୃତ ହୋଇଥିଲେ। ତାଙ୍କୁ ୨୦ହଜାର ଟଙ୍କାର ଅର୍ଥରାଶି ସହ ଅଙ୍ଗବସ୍ତ୍ର, ମାନପତ୍ର, ସ୍ମୃତିଫଳକ ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ଅଭିନେତା ଦେବାଶିଷ ପାତ୍ର (କାଳିଆ କରୁଛି ଲୀଳା) ଏବଂ ଶ୍ରେଷ୍ଠ ଅଭିନେତ୍ରୀ ଲିପ୍ସା ମିଶ୍ର (ରଙ୍ଗିଲା ବୋହୂ)ଙ୍କୁ ପୁରସ୍କୃତ କରାଯାଇଥିଲା। ପୁରସ୍କାର ସ୍ୱରୂପ ଉଭୟଙ୍କୁ ୧୫ହଜାର ଟଙ୍କାର ଅର୍ଥରାଶି, ମାନପତ୍ର, ଫଳକ ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ଜୀବନ ପଣ୍ଡା (କାଳିଆ କରୁଛି ଲୀଳା), ପାର୍ଶ୍ବ ଅଭିନେତ୍ରୀ ମଧୁସ୍ମିତା ପ୍ରଧାନ (ରଙ୍ଗିଲା ବୋହୂ), ଖଳନାୟକ ସୁରେଶ ମିଶ୍ର(ସର୍ଗମ୍), ଖଳନାୟିକା ଉଷସୀ ମିଶ୍ର(ରଙ୍ଗିଲା ବୋହୂ), ହାସ୍ୟ ଅଭିନେତା ଶଙ୍କର୍ଷଣ ପ୍ରଧାନ(ରଙ୍ଗିଲା ବୋହୂ), ଶିଶୁ କଳାକାର ପ୍ରସିଦ୍ଧି ନାୟକ (ରଙ୍ଗିଲା ବୋହୂ), କାହାଣୀକାର ପ୍ରସନ୍ନ ପୃଷ୍ଟି(କସ୍ତୁରୀ), ସଂଳାପ ଲେଖକ ବିଜୟ ମଲ୍ଲ (ସର୍ଗମ୍), ସମ୍ପାଦନା ଚନ୍ଦ୍ରଶେଖର ମିଶ୍ର (କାଳିଆ କରୁଛି ଲୀଳା), ଚିତ୍ରଗ୍ରହଣ ନିରଞ୍ଜନ ଦାଶ(ଝିଅଟା ଅଲଗା ପ୍ରକାର), ଶ୍ରେଷ୍ଠ ଶବ୍ଦ ଗ୍ରହଣକାରୀ ଅଭିମନ୍ୟୁ ବେହେରା (ସର୍ଗମ୍)ଙ୍କୁ ପୁରସ୍କୃତ କରାଯାଇଥିଲା।
ଚଳିତ ବର୍ଷ ଆଦିବାସୀ ଭାଷାରେ ଶେଷ୍ଠ ଟେଲି ଚଳଚ୍ଚିତ୍ର ପାଇଁ କାହାରିକୁ ମନୋନୀତ କରାଯାଇନାହିଁ। ବିବାଦ ଲାଗି ପୁନଃ ମନୋନାୟନ ପରେ ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର(ପ୍ରଯୋଜକ/ନିର୍ଦେଶକ)କୁ ଦୁଇଟି ବର୍ଗ କରାଯିବା ସହ ପୂର୍ବରୁ ଓଡ଼ିଆ ଚଳଚ୍ଚିତ୍ର ‘ନିମ୍କୀ’ ପାଇଁ ଶ୍ରେଷ୍ଠ ଚିତ୍ରନାଟ୍ୟ ପୁରସ୍କାର ପାଇଥିବା ସୁଶାନ୍ତ ମଣିଙ୍କୁ ପୁରସ୍କାରରୁ ବାଦ୍ ଦିଆଯାଇଥିଲା। କାର୍ୟ୍ୟକ୍ରମରେ ଓଡ଼ିଆ ଟେଲି କଳାକାର ସଂଘ ପକ୍ଷରୁ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ। କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ ଶୋଭନା ଏବଂ ଶୁଭମ।