Odia News Portal

ବିଦେଶୀ ବ୍ୟାଙ୍କରୁ ଅର୍ଥ ସିଫ୍ଟର ତଥ୍ୟ ଦାଖଲ କରିବ ଏସବିଆଇ, ନିର୍ଦ୍ଦେଶନାମା ଜାରି କଲା ଆରବିଆଇ

ବିଦେଶରୁ ଆସୁଥିବା ପାଣ୍ଠିର ତଥ୍ୟ ସଂଗ୍ରହକୁ ସରକାର କଡ଼ାକଡ଼ି କରିଛନ୍ତି। ଷ୍ଟେଟ ବ୍ୟାଙ୍କକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଏଥିପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବିଦେଶରୁ ଭାରତୀୟମାନଙ୍କ ନିକଟକୁ ଅର୍ଥ ପଠାଉଥିବା ବ୍ୟକ୍ତିର ଉଦ୍ଦେଶ୍ୟ ସମେତ ଅନ୍ୟାନ୍ୟ ତଥ୍ୟ ଷ୍ଟେଟ ବ୍ୟାଙ୍କ ପ୍ରଦାନ କରିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଗୁରୁବାର ଏଥିପାଇଁ ଏଫସିଆରଏ (ବିଦେଶୀ ମୁଦ୍ରା ନିୟନ୍ତ୍ରଣ ଆଇନ) ସଂପର୍କିତ କାରବାର ପାଇଁ ଏନ୍‌ଇଏଫ୍‌ଟି ଏବଂ ଆର୍‌ଟିଜିଏସ୍‌ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ କରିଛି। ଏଫ୍‌ସିଆର୍‌ଏ ଅଧୀନରେ ବିଦେଶରୁ ଆସୁଥିବା ଅର୍ଥ ଭାରତୀୟ ଷ୍ଟେଟ ବ୍ୟାଙ୍କ, ନୂଆଦିଲ୍ଲୀ ମୁଖ୍ୟ ଶାଖାର ଏଫ୍‌ସିଆର୍‌ଏ ଆକାଉଣ୍ଟରେ ଗ୍ରହଣ ହେବ।

ବିଦେଶୀ ବ୍ୟାଙ୍କରୁ ଏହି ଅର୍ଥ ସିଫ୍ଟ ମାଧ୍ୟମରେ କିମ୍ବା ଭାରତୀୟ ଶାଖାଗୁଡ଼ିକ ମାଧ୍ୟମରେ ଏନ୍‌ଇଏଫ୍‌ଟି ଓ ଆର୍‌ଟିଜିଏସ ଜରିଆରେ ଆସିଥାଏ।
ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ଗୃହ ମନ୍ତ୍ରାଳୟର ଆବଶ୍ୟକତା ଅନୁସାରେ ଅର୍ଥ ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ବିସ୍ତୃତ ତଥ୍ୟ ଯଥା ନାମ, ଠିକଣା, ଦେଶ, ପରିମାଣ, ମୁଦ୍ରା, ଅର୍ଥ ପଠାଇବାର ଉଦ୍ଦେଶ୍ୟ ଆଦି ଏଥିରେ ଉଲ୍ଲେଖ ରହିବ। ଭାରତୀୟ ଷ୍ଟେଟ ବ୍ୟାଙ୍କ ଉକ୍ତ ତଥ୍ୟ ଗୃହ ମନ୍ତ୍ରାଳୟକୁ ପ୍ରତିଦିନ ପ୍ରଦାନ କରିବାର ଆବଶ୍ୟକତା ରହିଛି। ଆସନ୍ତା ମାର୍ଚ୍ଚ ୧୫ ତାରିଖରୁ ଏହା କାର୍ଯ୍ୟକାରୀ ହେବ। ଏନ୍‌ଇଏଫ୍‌ଟି ଏବଂ ଆର୍‌ଟିଜିଏସ୍‌ ଜରିଆରେ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ବିଦେଶୀ ଅର୍ଥ ପଠାଉଥିବା ବ୍ୟାଙ୍କଗୁଡ଼ିକୁ ସେମାନଙ୍କ କୋର୍‌ ବ୍ୟାଙ୍କିଂ ଓ ଅନ୍ୟାନ୍ୟ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ କରିବା ଲାଗି ରିଜର୍ଭ ବ୍ୟାଙ୍କ କହିଛି। ମୋଦୀ ସରକାରଙ୍କ ଅମଳରେ ଏଫ୍‌ସିଆର୍‌ଏ ସଂପର୍କିତ ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି। ଆଇନ ଉଲ୍ଲଂଘନ କରିବା କାରଣରୁ ପାଖାପାଖି ୨ ହଜାର ଏନ୍‌ଜିଓଙ୍କ ଏଫ୍‌ସିଆର୍‌ଏ ପଞ୍ଜୀକରଣକୁ ରଦ୍ଦ କରାଯାଇଛି।