ଫେବ୍ରୁଆରି ମାସ ଶେଷ ହୋଇ ନଥିଲେ ବି ଭାରତର ଅନେକ ସ୍ଥାନରେ ତାପମାତ୍ରା ଅସ୍ବାଭାବିକ ଭାବେ ବୃଦ୍ଧି ପାଇବା ଦେଖାଯାଉଛି। ତାପମାତ୍ରା ବଢ଼ୁଥିବାରୁ ଆଗାମୀ ଦିନରେ ଦେଶରେ ବିଦ୍ୟୁତ୍ଶକ୍ତିର ଚାହିଦା ବୃଦ୍ଧି ପାଇବ। ଗ୍ରୀଷ୍ମଋତୁରେ ଏହା ଶକ୍ତିସଙ୍କଟର କାରଣ ହେବ। ଗତ ଜାନୁଆରିରେ ସର୍ବାଧିକ ବିଜୁଳି ଚାହିଦା ୨୧୧ ଗିଗାୱାଟ୍କୁ ଛୁଇଁଥିଲା। ମହାମାରୀ ପରେ ଶିଳ୍ପକାରଖାନାଗୁଡ଼ିକ ଖୋଲିବା ପରେ ଏପରି ଚାହିଦା ବୃଦ୍ଧି ପାଇଥିଲା, ଯାହା ଗତବର୍ଷ ଗ୍ରୀଷ୍ମଋତୁର ସର୍ବାଧିକ ଚାହିଦାର ପାଖାପାଖି ଥିଲା। ଗତ ସପ୍ତାହରେ କେତେକ ଅଞ୍ଚଳରେ ତାପମାତ୍ରା ସ୍ବାଭାବିକଠାରୁ ୧୧ ଡିଗ୍ରି ସେଲସିୟସ ଅଧିକ ରହିଥିଲା। ଫଳରେ ଗହମ ଓ ଅନ୍ୟାନ୍ୟ ଚାଷ ଉପରେ ଏହି ତାପମାତ୍ରା ବୃଦ୍ଧି କିଛି ପ୍ରତିକୂଳ ପ୍ରଭାବ ପକାଉଛି କି ନାହିଁ ତାହା ଉପରେ ଅନୁଧ୍ୟାନ କରି ଚାଷୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେବା ପାଇଁ ପାଣିପାଗ ଓ କୃଷି ବିଭାଗକୁ କୁହାଯାଇଥିଲା।
ବର୍ତ୍ତମାନ ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ଏଭଳି ତାପମାତ୍ରା ବୃଦ୍ଧି ଦେଖାଦେଇ ଥିବାରୁ ତାହା ଆଗାମୀ ଦିନରେ ଦେଶର ଶକ୍ତି ବିଭାଗକୁ ଚାପରେ ରଖିବ ବୋଲି କୁହାଯାଉଛି। କୋଇଲା ଦ୍ବାରା ଚାଳିତ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକ ଆସନ୍ତା ତିନିମାସ ପାଇଁ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାଫଳରେ ବିଦ୍ୟୁତ୍ କାଟ ପରି ସମସ୍ୟାକୁ ଏଡ଼ାଯାଇ ପାରିବ। ଆସନ୍ତା ଏପ୍ରିଲ ମାସରେ ବିଦ୍ୟୁତ୍ ଚାହିଦା ୨୨୯ ଗିଗାୱାଟ୍କୁ ବୃଦ୍ଧି ପାଇପାରେ ବୋଲି ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରାଜସ୍ଥାନ ଶକ୍ତିମନ୍ତ୍ରୀ ଭନୱର ସିଂହଙ୍କ କହିବା ଅନୁସାରେ ଫେବ୍ରୁଆରି ମାସରେ ଯେଉଁ ହାରରେ ତାପମାତ୍ରା ବୃଦ୍ଧି ପାଉଛି ତାହା ସମ୍ପୂର୍ଣ୍ଣ ଅସ୍ବାଭାବିକ। ଏହାଫଳରେ ଗତବର୍ଷ ଅପେକ୍ଷା ବିଦ୍ୟୁତ୍ ଚାହିଦା ୨୦ରୁ ୩୦ ପ୍ରତିଶତ ବୃଦ୍ଧି ପାଇପାରେ। ଶକ୍ତି ଉତ୍ପାଦନ ସୀମିତ ଥିବାରୁ ବିଦ୍ୟୁତ୍ କାଟ ଛଡ଼ା ଅନ୍ୟ ଉପାୟ ନାହିଁ ବୋଲି ସିଂହ କହିଛନ୍ତି। ରାଜସ୍ଥାନରେ ସୌରଶକ୍ତିର ଉପଯୋଗ ସବୁଠାରୁ ଅଧିକ ହୋଇଥାଏ। ତା’ ସତ୍ତ୍ବେ ତାପଜ ବିଦ୍ୟୁତ୍ କେନ୍ଦ୍ର ପାଇଁ ବାହାରୁ କୋଇଲା ଆସିବାରେ ବିଳମ୍ବ ହେଲେ ବିଦ୍ୟୁତ୍ ଯୋଗାଣ ବ୍ୟାହତ ହେବା ସୁନିଶ୍ଚିତ। ଭାରତରେ କୋଇଲାରୁ ୭୦ ପ୍ରତିଶତ ବିଦ୍ୟୁତ୍ ଉତ୍ପାଦନ ହୋଇଥାଏ। କିନ୍ତୁ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକରେ ଯଥେଷ୍ଟ କୋଇଲା ଗଚ୍ଛିତ ନାହିଁ।
ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବାନୁଯାୟୀ ଏବେ ତାପମାତ୍ରା ବଢ଼ିଛି ବୋଲି ମାର୍ଚ୍ଚରୁ ମେ ଭିତରେ ଚରମ ପାଣିପାଗର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି କୁହାଯାଇପାରିବ ନାହିଁ। ତେବେ ଏବେର ତାପମାତ୍ରାକୁ ଦେଖି ଚିନ୍ତା ସୃଷ୍ଟିହେବା ସ୍ବାଭାବିକ।