Odia News Portal

ସଙ୍କଟରେ ପାକିସ୍ତାନ ଅର୍ଥନୀତି : ଚୀନ୍ ଓ ସାଉଦି ଆରବକୁ ମଧ୍ୟ ମାଗୁଛି ପାଣ୍ଠି

ପାକିସ୍ତାନ ଅର୍ଥନୀତି ଦୁର୍ଦ୍ଦିନ ଦେଇ ଗତି କରୁଛି। ଚାରିଆଡ଼ୁ ସଙ୍କଟ ମାଡ଼ି ଆସିଛି। ସେଠାରେ ଶ୍ରୀଲଙ୍କା ଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସେହି ସଙ୍କଟକୁ ଏଡ଼ାଇବା ଲାଗି ପାକିସ୍ତାନ ସରକାର ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ସଙ୍କଟରୁ ଉଦ୍ଧାର କରିବା ଲାଗି ସେଠାକାର ସରକାର ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଆଗରେ ଗୁହାରି କରୁଛି। ଚୀନ୍ ଓ ସାଉଦି ଆରବକୁ ମଧ୍ୟ ପାଣ୍ଠି ମାଗୁଛି।
ପାକିସ୍ତାନରେ ବିଦେଶୀ ମୁଦ୍ରା ଭଣ୍ଡାରରେ ଦ୍ରୁତ ଅବନତି ହୋଇଛି।
୨୦୧୦ରେ ସେଠାରେ ୧୪୩୦ କୋଟି ଡଲାର ବିଦେଶ ମୁଦ୍ରା ଥିଲା। ୨୦୧୮ ବେଳକୁ ତାହା ୯୧୭ କୋଟି ଡଲାରକୁ ଖସିଯାଇଥିଲା। ବର୍ତ୍ତମାନ ପାକିସ୍ତାନ ଭଣ୍ଡାରରେ ମାତ୍ର ୩୧୦ କୋଟି ଡଲାର ବିଦେଶୀ ମୁଦ୍ରା ରହିଛି। ଆମଦାନି ଖର୍ଚ୍ଚ ତୁଲାଇବା ଲାଗି ତାହା ଆଦୌ ଯଥେଷ୍ଟ ନୁହେଁ। ଆମେରିକୀୟ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି। ୨୦୧୯ରେ ଏକ ଡଲାର ମୂଲ୍ୟ ୮୫ ପାକିସ୍ତାନୀ ଟଙ୍କା ଥିଲା। ବର୍ତ୍ତମାନ ଏକ ଡଲାର କିଣିବା ଲାଗି ୨୫୦ ପାକିସ୍ତାନୀ ଟଙ୍କା ଗଣିବାକୁ ପଡ଼ୁଛି। ଯେଉଁ ଦେଶ ୨୦୧୦ରେ ୩୪୩୦ କୋଟି ଡଲାର ଆମଦାନି କରୁଥିଲା ତାହା ୬୨୭୦ କୋଟି ଡଲାରକୁ ବୃଦ୍ଧି ପାଇଛି। ସେହି ସମୟରେ ରପ୍ତାନି ୨୩୯୦ କୋଟି ଡଲାରରୁ ବୃଦ୍ଧି ପାଇ ୩୧୫୦ କୋଟି ଡଲାର ହୋଇଛି। ୨୦୦୨ ଜାନୁଆରିରେ ପାକିସ୍ତାନରେ ମୁଦ୍ରାସ୍ଫୀତି ହାର ୧୩ ପ୍ରତିଶତ ଥିଲା। ଏବେ ତାହା ୨୯ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୦ରେ ପାକିସ୍ତାନ ଅର୍ଥନୀତିର ଅଭିବୃଦ୍ଧି ହାର ୨.୬ ପ୍ରତିଶତ ଥିଲା। ଏବର୍ଷ ତାହା ୧.୫%କୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି।