Odia News Portal

ପ୍ରତ୍ୟକ୍ଷ ଟିକସ ସଂଗ୍ରହ ହାର ୨୪% କୁ ବୃଦ୍ଧି

ଚଳିତ ଆର୍ଥିକବର୍ଷରେ ପ୍ରତ୍ୟକ୍ଷ ଟିକସ ଆଦାୟ ରାଶିରେ ୨୪ ପ୍ରତିଶତ ବୃଦ୍ଧି ଘଟିଛି। ଫେବୃୟାରୀ ୧୦ ତାରିଖ ସୁଦ୍ଧା ପ୍ରତ୍ୟକ୍ଷ ଟିକସ ଆଦାୟ ରାଶି ୧୫ ଲକ୍ଷ ୬୭ ହଜାର କୋଟି ଟଙ୍କାରେ ପହଞ୍ଚିଛି ବୋଲି ଶନିବାର ଅର୍ଥ ମନ୍ତ୍ରାଳୟ ସୂଚନା ଦେଇଛି। ଟିକସଦାତାଙ୍କୁ ଫେରସ୍ତ ହୋଇଥିବା ରାଶିକୁ ବାଦ୍ ଦେବାପରେ ନିଟ୍ ପ୍ରତ୍ୟକ୍ଷ ଟିକସ ଆଦାୟ ରାଶି ୧୨ ଲକ୍ଷ ୯୮ ହଜାର କୋଟି ଟଙ୍କାରେ ରହିଛି, ଯାହାକି ୧୮.୪୦ ପ୍ରତିଶତ ଅଧିକ। ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରତ୍ୟକ୍ଷ ଟିକସ ବାବଦରେ ୧୬ ଲକ୍ଷ ୫୦ ହଜାର କୋଟି ଟଙ୍କା ଆଦାୟ ପାଇଁ ସଂଶୋଧିତ ଅଟକଳରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ତେଣୁ ନିଟ୍ ଟିକସ ଆଦାୟ ରାଶି ସଂଶୋଧିତ ଅଟକଳର ୭୯ ପ୍ରତିଶତରେ ପହଞ୍ଚିଛି ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) କହିଛି। ୨୦୨୨-୨୩ ବଜେଟ ଅଟକଳରେ ପ୍ରତ୍ୟକ୍ଷ ଟିକସ ଆଦାୟ ରାଶିକୁ ୧୪ ଲକ୍ଷ ୨୦ ହଜାର କୋଟି ଟଙ୍କାରେ ଧାର୍ଯ୍ୟ କରାଯାଇଥିଲା।