Odia News Portal

ବିମାନ କିଣା ପାଇଁ ଲାଗିଛି ପ୍ରତିଯୋଗିତା;ରେସରେ ଏୟାର ଇଣ୍ଡିଆ, ଇଣ୍ଡିଗୋ, ଆକାଶ ଏୟାରଲାଇନ୍ସ

ବିମାନ କିଣିବା ଲାଗି ଯେଭଳି ଭାରତୀୟ ଏୟାରଲାଇନ୍ସ ମଧ୍ୟରେ ଏକପ୍ରକାର ଦୌଡ଼ ଚାଲିଛି। ଏୟାର ଇଣ୍ଡିଆ ସର୍ବବୃହତ ବିମାନ କିଣା ବରାଦ ଦେବା ପରେ ପ୍ରତିଦ୍ବନ୍ଦ୍ବୀ ଏୟାରଲାଇନ୍ସଗୁଡ଼ିକ ସଜାଗ ହୋଇପଡ଼ିଛନ୍ତି। ବର୍ଷକ ତଳେ ଆରମ୍ଭ ହୋଇଥିବା ଆକାଶ ଏୟାରଲାଇନ୍ସ ମଧ୍ୟ ବିମାନ କିଣିବା ଲାଗି ବଡ଼ ଧରଣର ବରାଦ ଦେବା ଉପରେ ବିଚାର କରୁଛି। କଂପାନି ୭୨ଟି ବିମାନର ବରାଦ ଦେଇଥିଲା। ଆଗକୁ ଆହୁରି ଅଧିକ ବିମାନ କିଣା ହେବ ବୋଲି କଂପାନିର ସିଇଓ ବିନୟ ଦୁବେ କହିଛନ୍ତି। ଆସନ୍ତା ଦୁଇ ବର୍ଷରେ ଭାରତୀୟ ଏୟାରଲାଇନ୍ସଗୁଡ଼ିକ ୧୫୦୦-୧୭୦୦ ବିମାନ କିଣିବା ଲାଗି ବରାଦ ଦେବେ ବୋଲି ଆକଳନ କରାଯାଇଛି। ଇଣ୍ଡିଗୋ ୫୦୦ ନୂଆ ବିମାନ କିଣିବା ପାଇଁ ବରାଦ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ସରକାରଙ୍କଠାରୁ ୧୮ ହଜାର କୋଟି ଟଙ୍କାରେ କିଣିବା ପରେ ଏୟାର ଇଣ୍ଡିଆକୁ ବିଶ୍ବର ସବୁ ପ୍ରମୁଖ ସହର ସହ ଯୋଡ଼ିବା ଲାଗି ଟାଟା ଗ୍ରୁପ୍ ଯୋଜନା ରଖିଛି।

ସେଥିପାଇଁ ୪୭୦ଟି ବିମାନ କିଣିବା ଲାଗି ଏହା ‌ବିଶ୍ବର ଦୁଇ ପ୍ରମୁଖ ବିମାନ ନିର୍ମାତା ବୋଇଙ୍ଗ ଓ ଏୟାରବସ୍‌କୁ ବରାଦ ଦେଇଛି। ଗତ ୧୭ ବର୍ଷ ଭିତରେ ଏୟାର ଇଣ୍ଡିଆ ଗୋଟିଏ ବି ନୂଆ ବିମାନ କିଣିନଥିଲା। ଶେଷ ଥର ପାଇଁ ୨୦୦୫ରେ ଏହି କଂପାନି ୧୧୧ଟି ବିମାନ କିଣିବାର ବରାଦ ଦେଇଥିଲା। କଂପାନିର ଚିଫ୍‌ କମର୍ସିଆଲ୍ ଅଫିସର ନିପୁନ ଅଗ୍ରୱାଲ୍ କହିଛନ୍ତି ଯେ ଏୟାର ଇଣ୍ଡିଆ ୮୪୦ଟି ବିମାନ କିଣିବା ଲାଗି ବରାଦ ଦେଇଛି। ସେଥିରୁ ୪୭୦ଟି ବିମାନ କିଣାହେବ ଏବଂ ଅତିରିକ୍ତ ୩୭୦ଟି ବିମାନ କିଣିବାର ଏକ ବିକଳ୍ପ ମଧ୍ୟ ରହିଛି। ଆସନ୍ତା ଦଶନ୍ଧି ମଧ୍ୟରେ କଂପାନି ଏହି ବିମାନଗୁଡ଼ିକୁ କିଣିବ। ଇଞ୍ଜିନ ରକ୍ଷଣାବେକ୍ଷଣକୁ ନେଇ ରୋଲ୍‌ସ-ରଏସ୍ ଓ ଜିଇ ଏରୋସ୍ପେସ୍ ସହ ମଧ୍ୟ କଂପାନି ଚୁକ୍ତି କରିଛି। କଂପାନିକୁ ପ୍ରଥମ ବିମାନ ଏ୩୫୦ ଚଳିତ ବର୍ଷ ଶେଷ ସୁଦ୍ଧା ମିଳିବ ବୋଲି ଶ୍ରୀ ଅଗ୍ରୱାଲ୍ କହିଛନ୍ତି।