ଦୁଇ ସରକାରୀ ଟେଲିକମ୍ କଂପାନି ବିଏସ୍ଏନ୍ଏଲ ଓ ଏମ୍ଟିଏନ୍ଏଲ୍ ମଧ୍ୟରେ ମିଶ୍ରଣ ଲାଗି କେନ୍ଦ୍ର ସରକାର ପୁଣି ଥରେ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଅଡିଟ୍ ଓ କନ୍ସଲ୍ଟିଂ ସଂସ୍ଥା ଡେଲଏଟ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ଏହି ଦୁଇ ସଂସ୍ଥା ମଧ୍ୟରେ ମିଶ୍ରଣ ଲାଗି ପୂର୍ବରୁ ମଧ୍ୟ ଉଦ୍ୟମ କରାଯାଇଥିଲା ଯାହା ବିଫଳ ହୋଇଥିଲା। ବିଏସ୍ଏନ୍ଏଲ୍ ସହ ଏମ୍ଟିଏନ୍ଏଲ୍ ମିଶ୍ରଣ ବିଷୟରେ ଆସନ୍ତା ୬-୭ ମାସ ଭିତରେ ଡେଲଏଟ୍ ରିପୋର୍ଟ ଦାଖଲ କରିବ। ଏହି ଦୁଇ ସଂସ୍ଥା ଭିତରେ ମିଶ୍ରଣ ଏବେ ଜଟିଳ ଯେ ସେହି ପ୍ରକ୍ରିୟା ଶେଷ ହେବା ଲାଗି ଦୁଇ ବର୍ଷ ସମୟ ଲାଗିବ।
ଗତବର୍ଷ ଜୁଲାଇରେ ବିଏସ୍ଏନ୍ଏଲ୍ ଓ ଏମ୍ଟିଏନ୍ଏଲ୍ ପୁନରୁଦ୍ଧାର ପାଇଁ ସରକାର ୧.୬୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍କୁ ଅନୁମୋଦନ ପ୍ରଦାନ କରିଥିଲେ। ବିଭିନ୍ନ ମନ୍ତ୍ରାଳୟର ସଚିବଙ୍କୁ ନେଇ ଏକ କମିଟି ଗଠନ କରିବାକୁ ସ୍ଥିର ହୋଇଥିଲା। ଟେଲିକମ୍ ସଚିବ କେ ରାଜାରମଣ କହିଛନ୍ତି ଯେ ଏମ୍ଟିଏନ୍ଏଲ୍ ହେଉଛି ଷ୍ଟକ ବଜାରରେ ତାଲିକାଭୁକ୍ତ ହୋଇଥିବା ଏକ କଂପାନି। ତେଣୁ ଏହି ମିଶ୍ରଣ ଲାଗି ସମୟ ଲାଗିବ।