Odia News Portal

ଭାରତକୁ ପୁଣି ଫେରିବ TikTok

ନୂଆଦିଲ୍ଲୀ : ୟୁଜର ହିସାବରେ ଟିକ୍‌ଟକ୍‌ ପାଇଁ ଭାରତ ଏକ ବଡ଼ ବଜାର ଥିଲା । ତେବେ ସୀମା ବିବାଦ ମଧ୍ୟରେ ଭାରତ ସରକାର ଏହା ଉପରେ କଟକଣା ଲଗାଇବା ପରେ ମୂଳ କମ୍ପାନି ବାଇଟ୍‌ଡ୍ୟାନ୍ସ ଚିନ୍ତାରେ । କିଭଳି ପୁଣି ଭାରତ ବଜାରରେ ପ୍ରବେଶ କରିବ ଏହା ବାଟ ଖୋଜୁଛି । ଏଭଳି କ୍ଷେତ୍ରରେ ଭାରତ କାରବାରକୁ ବିକ୍ରି କରିଦେବା ପାଇଁ ଏହା ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ବିଶ୍ୱର ଚତୁର୍ଥ ବୃହତ୍‌ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ସହ କଥାବାର୍ତ୍ତା ଚଳାଇଥିବା ଜଣାଯାଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବାଇଟ୍‌ ଡ୍ୟାନ୍ସ ସର୍ଟ ଭିଡିଓ ଆପ୍‌ ଟିକ୍‌ଟକ୍‌ର ଭାରତୀୟ କାରବାରକୁ ମୁକେଶ ଅମ୍ବାନିଙ୍କ ନେତୃତ୍ୱାଧୀନ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌(ଆର୍‌ଆଇଏଲ୍‌) ସହ ଆଲୋଚନା ଚଳାଇଛି । ଜୁଲାଇ ଶେଷ ଭାଗରୁ ଉଭୟ କମ୍ପାନିଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିବା ଜଣାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଉଭୟ ପକ୍ଷ କୌଣସି ଚୂଡ଼ାନ୍ତ ଉପସଂହାରରେ ଉପନୀତ ହୋଇନାହାନ୍ତି । ଉଭୟ କମ୍ପାନି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ସୂଚନାଯୋଗ୍ୟ, ଲଦାଖର ଗଲୱାନ ଘାଟିରେ ସୀମା ବିବାଦ ମଧ୍ୟରେ ସରକାର ଚୀନି ଆପ୍‌ଗୁଡିକ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ମଧ୍ୟରେ ଟିକ୍‌ଟକ୍‌, ୱିଚାଟ୍‌, ୟୁସି ବ୍ରାଉଜର ପ୍ରମୁଖ ରହିଛି । ବର୍ତ୍ତମାନ ସୁଦ୍ଧା ୧୦୬ ଚୀନି ଆପ୍‌କୁ ବ୍ୟାନ୍‌ କରିସାରିଛି ଭାରତ ।