ଖୁବ୍ ଶୀଘ୍ର ପ୍ରାଥମିକ ସ୍କୁଲ ପାଇଁ ୨୦ ହଜାର ଶିକ୍ଷକ ନିଯୁକ୍ତି ହେବେ। ଏନେଇ ବିଜ୍ଞାପନ ପ୍ରକାଶ ସରିଛି। ସେହିପରି ହାଇ ସ୍କୁଲ ପାଇଁ ମଧ୍ୟ ୨୦ ହଜାର ଶିକ୍ଷକ ନିଯୁକ୍ତି ହେବେ। ଏନେଇ ବିଜ୍ଞାପନ ମଧ୍ୟ ବାହାରି ସାରିଛି। ମୋଟ ୪୦ ହଜାର ନିଯୁକ୍ତି ଶିକ୍ଷକ ନିଯୁକ୍ତି ନିମନ୍ତେ ସରକାର ପଦକ୍ଷେପ ନେଇ ସାରିଥିବା ଆଜି ଗଣମଧ୍ୟମକୁ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ। କମ୍ପ୍ୟୁଟର ବେସ୍ ଟେଷ୍ଟ ମାଧ୍ୟମରେ ଏହି ପରୀକ୍ଷା ହେବ ଓ ସମସ୍ତଙ୍କୁ ନିଯୁକ୍ତିରେ ଭାଗ ନେବାକୁ ସୁଯୋଗ ମିଳିବ। ଏନେଇ ବିଧାନସଭାରେ ଜଣେ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦିଆଯାଇଛି ବୋଲି ସେ କହିଛନ୍ତି।
ଆସନ୍ତା ଏପ୍ରିଲ ଠାରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେଉଥିବା ବେଳେ ନୂଆ ନିଯୁକ୍ତି ମିଳିବା ନେଇ ମନ୍ତ୍ରୀଙ୍କ ସୂଚନା ସ୍କୁଲରେ ଖାଲି ପଡ଼ିଥିବା ଶିକ୍ଷକ ପଦ ପୂରଣରେ ସହାୟକ ହେବ ବୋଲି ଆଶା କରାଯାଉଛି। ସେହିପରି ଯୁକ୍ତ ୨ ପ୍ରଶ୍ନପତ୍ର ଭାଇରାଲ ହେବା ନେଇ ସାଇବର ଥାନାରେ ଏତଲା ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।ଅନ୍ୟପଟେ ସେ ଯୁକ୍ତ ୨ ପରୀକ୍ଷା ପରିଚାଳନା ତଦାରଖ ପାଇଁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଯାଇଥିଲେ। ସେଠାରେ ବିଶ୍ୱାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ପରୀକ୍ଷା ପରିଚାଳନା ବ୍ୟବସ୍ଥା ନେଇ ପଚାରି ବୁଝିଥିଲେ। ରମାଦେବୀ ହାଇୟର ସେକେଣ୍ଡାରୀ ସ୍କୁଲ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ।