କୋରାପୁଟ ଜିଲ୍ଲାରେ ଗାଡିମଟର ଚେକିଂ ଜୋରଦାର ଚାଲିବ । ଏନେଇ ଏସପି ଅଭିନବ ସୋନକର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମାସର ପ୍ରତି ବୁଧବାର ଦିନକୁ ଜିରୋ ଟଲରାନ୍ସ ଦିନ ଭାବେ ପାଳନ କରାଯିବ । ଏହି ଦିନ ୨୪ ଘଣ୍ଟା ଧରି ଗାଡି ଚେକିଂ ଜୋରଦାର ଚାଲୁ ରହିବ । ବିଶେଷ କରି ହେଲମେଟ, ସିଟବେଲ୍ଟ, ଟ୍ରିପଲ ରାଇଡିଙ୍ଗ, ଦ୍ରୁତ ଗତି, ନମ୍ବର ପ୍ଲେଟ, ମଦ୍ୟପାନ କରି ଗାଡି ଚଳାଇବା, ମାଲ ପରିବହନ ଗାଡିରେ ଲୋକଙ୍କୁ ନେବା, ଓଭରଲୋଡିଙ୍ଗ, ଗାଡି ଲାଇସେନ୍ସ, ବିନା ଲାଇସେନ୍ସରେ ଗାଡି ଚାଳନା ଆଦି ଦିଗକୁ ଧ୍ୟାନ ଦିଆଯିବ । ସଡକ ଦୁର୍ଘଟଣା କମାଇବା ଓ ଟ୍ରାଫିକ ନିୟନ୍ତ୍ରଣ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏସପି କହିଛନ୍ତି ।