Odia News Portal

କାର୍ଯ୍ୟରତ ଡାକୋଟା ପୁନଃନିର୍ମାଣ, ମାର୍ଚ୍ଚ ୫ରେ ହେବ ଉଦ୍ଘାଟନ

ଆସନ୍ତା ୫ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଡାକୋଟା ବିମାନକୁ ସର୍ବସାଧାରଣ ପ୍ରଦର୍ଶନ ପାଇଁ ଯୋଜନା କରାଯାଇଛି। ଇତିହାସ ବର୍ଣ୍ଣିତ ଏହି ଡାକୋଟାରେ ପାଇଲଟ ଓ ଯାତ୍ରୀ କ୍ୟାବିନ୍ ଲଗାଯିବ। ଏଣୁ ଡାକୋଟାକୁ ହାଙ୍ଗରରୁ ବାହାରି କରାଯାଇ ଟର୍ମିନାଲ ୧ ସମ୍ମୁଖକୁ ଅଣାଯାଇଛି। ମାର୍ଚ ୫ ତାରିଖକୁ ଦୃଷ୍ଟିରେ ରଖି ଡାକୋଟାର ସଜ୍ଜୀକରଣ ଚାଲିଛି। କଳିଙ୍ଗ ଏୟାରଲାଇନ୍ସ ବୋଲି ବିମାନରେ ଲେଖାଯାଇଛି।

ବିମାନରେ ପାଇଲଟ ଓ ଯାତ୍ରୀ ବସିବା ପାଇଁ କ୍ୟାବିନ୍‌ ଖଞ୍ଜାଯିବ। ଏହାର ଦୁଇଟି ୱିଙ୍ଗ ମଧ୍ୟ ଆସି ସାରିଛି। ଆଜି ଏହାକୁ ଖଞ୍ଜା ଯିବ। ଆସନ୍ତା ୫ ତାରିଖରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପଣ କରିବେ। ଭୁବନେଶ୍ୱରସ୍ଥିତ ଏରୋସ୍ପେସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟରର ଇଞ୍ଜିନିୟରମାନେ ଡାକୋଟା ଆସେମ୍ୱଲ କାମରେ ନିୟୋଜିତ ରହିଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ସରିଯିବ।

କ୍ୟାବିନ ଲାଗିବା ପରେ ଏଥିରେ ଇଞ୍ଜିନ ଓ଼ ଉଇଙ୍ଗସ ଲଗାଯିବ। ଦୀର୍ଘଦିନ ଧରି ପଡ଼ିରହିବା ଯୋଗୁଁ ଡାକୋଟା ବିମାନର ଅନେକ ଅଂଶ ନଷ୍ଟ ହୋଇଯାଇଥିବା ଜଣାଯାଇଛି। ଏବେ ଏହାର ମରାମତି ଓ଼ ରଙ୍ଗଦିଆ ବି ହୋଇଛି।

ଗୌରବମୟ ଡାକୋଟାକୁ ଓଡ଼ିଶାରେ ପାଇ ଓଡ଼ିଆ ଲୋକେ ଗର୍ବ ଅନୁଭବ କରିବା ସ୍ବାଭାବିକ। ବିମାନଟି ୬୪ ଫୁଟ ୮ ଇଞ୍ଚ ଲମ୍ବର। ଏହି ବିମାନର ଡେଣା ଗୁଡ଼ିକର ଚଉଡ଼ା ୯୫ ଫୁଟ। ୧୯୪୭ରେ ଡଚମାନେ ଇଣ୍ଡୋନେସିଆ ଦଖଲ କରିବାକୁ ଉଦ୍ୟମ କରିଥିଲେ। ସେହି ସମୟରେ କଳିଙ୍ଗ ଏୟାଲାଇନ୍ସର ଦକ୍ଷ ପାଇଲଟ ବିଜୁ ପଟ୍ଟନାୟକ ଇଣ୍ଡୋନେସିଆର ତତ୍କାଳୀନ ରାଷ୍ଟ୍ରପତି ସୁକର୍ଣ୍ଣଙ୍କୁ ଉଦ୍ଧାର କରିଥିଲେ। ତାଙ୍କର ଏହି ଦୁଃସାହାସିକତା ପଇଁ ଇଣ୍ଡୋନେସିଆ ସରକାର ତାଙ୍କୁ ‘ଭୂମିପୁତ୍ର’ ଆଖ୍ୟା ଦେଇଥିଲେ। ବିଜୁ ପଟ୍ଟନାୟକ ଚଳାଉଥିବା ଡାକୋଟା ବିମାନ ତାଙ୍କର ସ୍ମୃତିକୁ ତାଜା କରିବା ସହ ତାଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କରିବ।