ଓଲିଉଡର ଜଣେ ଜଣାଶୁଣା ନାୟକ ହେଲେ ଜ୍ୟୋତି ଓ ଆଗଧାଡ଼ିର ନାୟିକା ହେଲେ ତମନ୍ନା। ଜ୍ୟୋତି-ତମନ୍ନାଙ୍କ ଯୋଡ଼ିକୁ ଦର୍ଶକ ଆଗରୁ ଦୁଇଟି ଓଡ଼ିଆ ଛବିରେ ଦେଖିବାକୁ ପାଇଛନ୍ତି। ଏବେ ପୁଣି ଏହି ଯୋଡ଼ି ବଡ଼ ପରଦାକୁ ଆସୁଛନ୍ତି।
ଯେଉଁ ସିନେମାରେ ଏହି ଯୋଡ଼ି ଫେରୁଛନ୍ତି ତାର ଶୀର୍ଷକ ହେଲା ‘ବିଭ୍ରାନ୍ତ’। ଏହି ଫିଲ୍ମର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ବିଶ୍ବଭୂଷଣ ମହାପାତ୍ର। କନକବଂଶୀ ଫିଲ୍ମ୍ସ ବ୍ୟାନରରେ ନିର୍ମିତ ଏହି ସିନେମାର ପ୍ରଯୋଜକ ହେଲେ ହର ପ୍ରସାଦ ସାହୁ। ଅଭିଜିତ ମଜୁମଦାର ଏହାର ସଙ୍ଗୀତ ନିର୍ଦ୍ଦେଶକ। ସିନେମାଟି ଏକ ସସପେନ୍ସଧର୍ମୀ ପ୍ରେମକାହାଣୀ ବୋଲି କୁହାଯାଉଛି।
ଇତିମଧ୍ୟରେ ‘ବିଭ୍ରାନ୍ତ’ର ସୁଟିଂ ଶେଷ ହୋଇଛି। ଏହି ଫିଲ୍ମ ଜରିଆରେ ଜ୍ୟୋତି-ତମନ୍ନା ଯୋଡ଼ି ହାଟ୍ରିକ୍ କରିଛନ୍ତି। ଏହା ଖୁବ୍ ଶୀଘ୍ର ମୁକ୍ତିଲାଭ କରିବ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ଜ୍ୟୋତି ଓ ତମନ୍ନାଙ୍କୁ ପ୍ରଥମେ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ନିଝୁମ ରାତିର ସାଥୀ’ରେ ଏକାଠି ଦେଖିବାକୁ ମିଳିଥିଲା। ଏଥିରେ ଚନ୍ଦନ ବି ନଜର ଆସିଥିଲେ। ମଳୟ ମିଶ୍ର ଏହାର ସ୍ବର ସଂଯୋଜନା କରିଥିଲେ। ଏହାପରେ ପୁଣି ‘ସୁପରବୟ’ ରେ ନଜର ଆସିଥିଲେ ଜ୍ୟୋତି-ତମନ୍ନା। ଏହି ପିଲ୍ମର ନିର୍ଦ୍ଦେଶନା ଦେଇଥିଲେ ନବାଗତ କେ.ଅନୀଶ୍। ଏହାର ପ୍ରଯୋଜକ ହେଲେ ରବୀନ୍ଦ୍ର ନାଥ ପଣ୍ଡା ଓ ସିକେ.ଅନୀଶ। ଫିଲ୍ମର ସଂଳାପ ଲେଖିଥିଲେ ଡ଼ ଦୀପକ ଜେନା। ବୈଦନାଥ ଦାସ ଏଥିରେ ସଙ୍ଗୀତ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।