ରାଜ୍ୟ ସରକାର ରବିବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ସେ ଯେବେ ଠାରୁ ଦାୟିତ୍ବ ଗ୍ରହଣ କରିବେ ସେବେଠାରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ ବୋଲି ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ମହାପାତ୍ରଙ୍କର ଆସନ୍ତା ୨୮ତାରିଖରେ ମୁଖ୍ୟ ସଚିବ ଭାବେ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଏହା ପୂର୍ବରୁ ରାଜ୍ୟ ସରକାର ଏହି ନିଯୁକ୍ତି ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଓଇଆର୍ସି ଅଧ୍ୟକ୍ଷ ଭାବେ ଉପେନ୍ଦ୍ର ନାଥ ବେହେରାଙ୍କର ୧୫ ଜାନୁଆରି ୨୦୨୨ରେ କାର୍ଯ୍ୟକାଳ ଶେଷ ହେବା ପରେ ଅଧ୍ୟକ୍ଷ ପଦବି ଖାଲି ପଡ଼ିଥିଲା। ଏହି ପଦବି ବହୁ ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ବି ରାଜ୍ୟ ସରକାର କାହାକୁ ନିଯୁକ୍ତି ଦେଇନଥିଲେ। ଏପରିକି ଶ୍ରୀ ବେହେରାଙ୍କ କାର୍ଯ୍ୟକାଳ ଶେଷ ହେବାର ପରଦିନ ଅର୍ଥାତ୍ ୧୬ ଜାନୁଆରି ୨୦୨୨ରେ ଓଇଆରସି ଅଧ୍ୟକ୍ଷ ନିଯୁକ୍ତି ପାଇଁ ରାଜ୍ୟ ସରକାର ବିଜ୍ଞାପନ ଦେଇଥିଲେ। ଜାନୁଆରି ୨୧ ତାରିଖ ସୁଦ୍ଧା ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିବାକୁ ଆହ୍ବାନ କରାଯାଇଥିଲା। ହେଲେ ଏହାପରେ ବି କାହାକୁ ନିଯୁକ୍ତି ଦିଆଯାଇନଥିଲା।
ଯେତେବେଳେ କି ଓଡ଼ିଶା ବିଦ୍ୟୁତ୍ ଆଇନ, ୨୦୦୩ର ଧାରା ୮୫ ଅନୁସାରେ, ଆୟୋଗର ଅଧ୍ୟକ୍ଷ ଅବସର ନେବାର ୬ମାସ ପୂର୍ବରୁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବେ। ତିନିମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ ହେବ। ଏହାଦ୍ବାରା ଓଇଆର୍ସିରେ ଅଧ୍ୟକ୍ଷ ପଦବି କେବେବି ଖାଲି ପଡ଼ିବନି। କିନ୍ତୁ ୧୩ ମାସ ଖାଲି ପଡ଼ିବା ପରେ ରାଜ୍ୟ ସରକାର ଶ୍ରୀ ମହାପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି।