ରାଜ୍ୟର ନୂଆ ଜିଲ୍ଲା ଗଠନ ନେଇ ପୁଣି ବିଧାନସଭାରେ ଉଠିଛି ସ୍ବର। ରାଜ୍ୟର ଜିଲ୍ଲା ତାଲିକାରେ ଯୋଡ଼ି ହେବ ୫ ନୂଆ ଜିଲ୍ଲା !
ବରଗଡ଼ର ପଦ୍ମପୁର,ମୟୂରଭଞ୍ଜର ରାଇରଙ୍ଗପୁର, କଳାହାଣ୍ଡିର ଧର୍ମଗଡ, ବଲାଙ୍ଗୀରର କଣ୍ଟାବାଞ୍ଜି, ଟିଟିଲାଗଡ ହୋଇପାରେ ନୂଆ ଜିଲ୍ଲା । ବିଧାନସଭାରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଉତ୍ତର ଜିଲ୍ଲା ସମ୍ଭାବନାକୁ ବଢ଼ାଇଦେଇଛି।
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏକ ଲିଖିତ ପ୍ରଶ୍ନରେ ମନ୍ତ୍ରୀ କହିଥିଲେ ରାଜ୍ୟରେ ନୂଆ ରାଜସ୍ବ ଜିଲ୍ଲା ଗଠନ ପାଇଁ ବିଭିନ୍ନ ସମୟରେ ପତ୍ର ଗୁଡ଼ିକ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରାପ୍ତ ହୋଇଛି । ସମସ୍ତ ମାନ ଦଣ୍ଡକୁ ବିଚାରକୁ ନେଇ ନୀତିନିୟମ ଆଧାରରେ ଉପଯୁକ୍ତ ସମୟରେ ନୂତନ ଜିଲ୍ଲା ଗଠନ ପାଇଁ ଆସିଥିବା ଦାବି ଗୁଡ଼ିକ ଉପରେ ସରକାର ପଦକ୍ଷେପ ଗ୍ରହଣ କରିବେ।
ସେହିପରି ବିଧାୟକ ନବ ଚରଣ ମାଝୀଙ୍କ ଅନ୍ୟ ଏକ ପ୍ରଶ୍ନର ରାଇରଙ୍ଗପୁର ନୂଆ ଜିଲ୍ଲା ଗଠନ ପାଇଁ ଦାବି ବିଭାଗ ପାଖରେ ଥିବା କହିଥିଲେ ମନ୍ତ୍ରୀ ।
୩୦ ବର୍ଷ ପୂର୍ବେ ୧୯୯୩ ମସିହାରେ ବିଜୁ ପଟ୍ଟନାୟକଙ୍କ ଅମଳରେ ଓଡ଼ିଶାର ୧୩ ଜିଲ୍ଲା ୩୦କୁ ବୃଦ୍ଧି ପାଇଥିଲା। ସେତିକିବେଳେ ଆଉ କିଛି ନୂଆ ଜିଲ୍ଲାର ଦାବି ଉଠିଥିଲେ ବି ବିଭିନ୍ନ କାରଣରୁ ହୋଇପାରି ନଥିଲା। ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର ଭଳି ୩ଟି ବଡ଼ ଜିଲ୍ଲା ଆଦୌ ଭାଗ ନହୋଇ ରହି ଯାଇଥିଲା।