ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଛି। ବିପୁଳ ପର୍ଯ୍ୟଟକଙ୍କ ସମାଗମ ଏବଂ ବଡ଼ଦାଣ୍ଡର ଉଭୟପାର୍ଶ୍ବରେ ଉଠା ଦୋକାନୀଙ୍କ ଭିଡ଼ ଭିତରେ ବାଟ ଚାଲିବା ଅସମ୍ଭବ ହୋଇ ପଡ଼ିଛି। ଏପରିକି ବହୁ ଐତିହ୍ୟ କୀର୍ତ୍ତିରାଜି ଲୁଚିଯାଇଛି। ଏଇ ସମସ୍ୟାର ସମାଧାନ ପାଇଁ ମିସନ ଏନ୍ଫୋର୍ସମେଣ୍ଟ ଆରମ୍ଭ କରିଛି ପୌରପାଳିକା। ରାସ୍ତାକଡ଼ ଉଠା ଦୋକାନୀମାନେ ଧଳା ଗାର ପଛକୁ ରହିବାର ନିୟମ ଥିଲେ ହେଁ ବହୁ ବ୍ୟବସାୟୀ ଏହାକୁ ବହୁଦିନ ହେବ ଅମାନ୍ୟ କରି ଆସୁଥିବାରୁ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ ୩ ମାସ ମଧ୍ୟରେ ବଡ଼ଶଙ୍ଖଠାରୁ ନେଇ ମରିଚିକୋଟ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଭିଡ଼ ନିୟନ୍ତ୍ରଣ ପାଇଁ ନିୟମିତ ଉଚ୍ଛେଦ ଅଭିଯାନ ଚାଲୁ ରହିଛି। ୬ ଜଣ ବ୍ୟବସାୟୀଙ୍କଠାରୁ ୪ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇଛି। କିଛି ବ୍ୟବସାୟୀଙ୍କ ଯୋଗୁ ବଡ଼ଦାଣ୍ଡ କଡ଼ରେ ଅଳିଆ ଗଦା ହୋଇ ରହୁଥିବା ବେଳେ ଅନେକ ଡଷ୍ଟବିନ ରଖୁନାହାନ୍ତି। ତେଣୁ ସେମାନଙ୍କୁ ମଧ୍ୟ ତାଗିଦ କରାଯାଇଛି। ପର୍ଯ୍ୟଟକମାନେ ଯେପରି ସୁଖଦ ଅନୁଭବ ନେଇ ଫେରିବେ ସେନେଇ ବ୍ୟବସାୟୀଙ୍କୁ ସଚେତନ କରାଯାଇଥିଲେ ମଧ୍ୟ ଅନେକ ଏହି ନିୟମ ମାନୁନାହାନ୍ତି। ଏନେଇ ପୌରପାଳିକା ପକ୍ଷରୁ ନିୟମିତ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।
ଶୁକ୍ରବାର ଦିନ ଏହି କ୍ରମରେ ଜଗନ୍ନାଥବଲ୍ଲଭ ସମ୍ମୁଖରେ ବ୍ୟବସାୟ ପାଇଁ ଅସ୍ଥାୟୀ ଟେଣ୍ଟ୍ ଓ ଦୋକାନ ପକାଇଥିବା ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇଛି। ଏଥିସହ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଗବେଷଣା ପାଇଁ ଆଧାର ଯୋଗାଉଥିବା ‘ଶ୍ରୀଜଗନ୍ନାଥ ସେଣ୍ଟର ଫର ଲାଇବ୍ରେରି ଆଣ୍ଡ୍ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍’କୁ ବାଟ ଫିଟିଛି। ଶ୍ରୀଜଗନ୍ନାଥ ଗବେଷଣାର ପ୍ରକୃଷ୍ଟ ସ୍ଥଳୀ ପାଲଟିଥିବା ପାଠାଗାର ସମ୍ମୁଖରୁ ବ୍ୟବସାୟୀଙ୍କୁ ହଟାଯାଇଛି। ପାଠାଗାର ମଧ୍ୟରେ ୧୮୬୦ ମସିହା ପୁରୁଣା ନଥିପତ୍ର ଓ ପୁସ୍ତକ ରହିଥିଲେ ହେଁ ଏହା ବଡ଼ଦାଣ୍ଡ ଉପରୁ ଦୃଶ୍ୟମାନ ହେଉନଥିଲା। ଏନେଇ ପୌରପାଳିକାର ଏନ୍ଫୋର୍ସମେଣ୍ଟ ଅଧିକାରୀ ରାକେଶ ପଣ୍ଡା କହିଛନ୍ତି, ଆଜି ଜଗନ୍ନାଥ ବଲ୍ଲଭ ସମ୍ମୁଖରୁ ୧୨ ଜଣ ବ୍ୟବସାୟୀଙ୍କ ସେଡ୍ ଉଚ୍ଛେଦ ହୋଇଛି। ସମସ୍ତ ବ୍ୟବସାୟୀଙ୍କୁ ଧଳା ଗାର ପଛକୁ ହଟାଯାଇଛି। ଦୁଇଦିନ ମଧ୍ୟରେ ପାଠାଗାର ସମ୍ମୁଖ ରାସ୍ତା ପାଇଁ ସ୍ବତନ୍ତ୍ର ବାଟ ରହିବ। ଏହାର ଦୁଇ ପାର୍ଶ୍ବରେ ବ୍ୟାରିକେଡ୍ ରହିବ। ସେହିପରି ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍କୁ ଯେପରି ଭକ୍ତ ତଥା ପର୍ଯ୍ୟଟକମାନେ ବ୍ୟବହାର କରିପାରିବେ କାର ବ୍ୟବସ୍ଥା କରାଯାଇ ଲୁହା ବ୍ୟାରିକେଡ୍ କରାଯିବ। ମଠ ପାଚେରିରୁ ୫ ଫୁଟ ମଧ୍ୟରେ ବ୍ୟବସାୟୀମାନେ ରହିବା ନେଇ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।