Odia News Portal

ଭାରତ ପାକିସ୍ତାନ ମଧ୍ୟରେ ହେଉଥିବା କଳହର ମୁଖ୍ୟ କାରଣ ହେଉଛି ଆତଙ୍କବାଦ; ଭାରତ

ଗୁରୁବାର ଦିନ ଭାରତ, ପାକିସ୍ତାନ ବିପକ୍ଷରେ ଜାତିସଂଘ ସାଧାରଣ ପରିଷଦ୍‌ରେ ତା’ର ‘ଜବାବ ଅଧିକାର’ ପ୍ରୟୋଗ କରି ଇସ୍‌ଲାମାବାଦ୍‌କୁ ପରାମର୍ଶ ଦେଇଛି ଯେ, ଆତଙ୍କବାଦୀଙ୍କୁ ନିରାପଦ ଆଶ୍ରୟ ଯୋଗାଇ ଦେଉଥିବା ରାଷ୍ଟ୍ର ଭାବେ ସେ ନିଜର ପୁରୁଣା ରେକର୍ଡ ଉପରେ ଦୃଷ୍ଟି ପକାଉ।

ଜାତିସଂଘ ସଂଯୁକ୍ତ ରାଷ୍ଟ୍ର ମହାସଭାର ୧୧ଶ ସ୍ବତନ୍ତ୍ର ଜରୁରୀକାଳୀନ ଅଧିବେଶନରେ ଭାରତର କାଉନ୍‌ସେଲର୍‌ ପ୍ରତୀକ ମାଥୁର କହିଛନ୍ତି, ପାକିସ୍ତାନ ଟିକେ ନିଜକୁ ଓ ତା’ର ପୁରାତନ ଟ୍ରାକ୍‌ ରେକର୍ଡ ସବୁ ଦେଖୁ। ଜାଣିପାରିବ ଗୋଟାଏ ରାଷ୍ଟ୍ର ‌ଭାବେ ସେ କିପରି ଆତଙ୍କବାଦୀଙ୍କୁ ସମର୍ଥନ କରି ନିରାପଦ ଆଶ୍ରୟ ଯୋଗାଇ ଦେଇଛି।

ଏହାଛଡ଼ା, ଅତୀତରେ ଭାରତ ପ୍ରୟୋଗ କରିଥିବା ଜବାବ ଅଧିକାରଗୁଡ଼ିକୁ ମଧ୍ୟ ପଢ଼ିବା ଲାଗି ସେ ପାକିସ୍ତାନୀ ପ୍ରତିନିଧି ଦଳଙ୍କୁ କହି‌ଛନ୍ତି।

ମାଥୁର କହିଛନ୍ତି, ଏଥର ମୁଁ ପାକିସ୍ଥାନର ମନ୍ଦ ମନୋଭାବସମ୍ପନ୍ନ କ୍ରୋଧ ଉଦ୍ରେକକାରୀ ପ୍ରସଙ୍ଗରେ ଭାରତର ଜବାବ ଦେବାକୁ ଉଚିତ ମନେକରୁନାହିଁ। ପାକିସ୍ତାନୀ ପ୍ରତିନିଧି ଦଳଙ୍କୁ ଆମର ପରାମର୍ଶ ଅତୀତରେ ଆମେ ପ୍ରୟୋଗ କରିଥିବା ଅନେକ ‘ଜବାବ ଅଧିକାର’ଗୁଡ଼ିକୁ ପଢ଼ନ୍ତୁ।

ପାକିସ୍ତାନର ଅଯଥା କ୍ରୋଧଉଦ୍ରେକକାରୀ କଥାକୁ ପରିତାପର ବିଷୟ କହି ମାଥୁର ଆହୁରି ମଧ୍ୟ କହିଛନ୍ତି ଯେ, ଦୁଇ ଦିନ ଧରି ବ୍ୟାପକ ଆଲୋଚନା ହେବା ପରେ ଜାତିସଂଘରେ ଉପସ୍ଥିତ ସମସ୍ତ ସଦସ୍ୟ ଏକମତ ହେଲେ ଯେ, ଶାନ୍ତିର ପଥ ହେଉଛି ସଂଘର୍ଷ ଓ ମତଭେଦ ସମାଧାନ କରିବାର ଏକମାତ୍ର ପଥ।

ମାଥୁର୍‌ଙ୍କ ଉପରୋକ୍ତ ମନ୍ତବ୍ୟ ସବୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ କଥା ସହିତ ମେଳଖାଉଛି। ଜୟଶଙ୍କର କହିଥିଲେ, ଭାରତ ଓ ପାକିସ୍ତାନ ମଧ୍ୟରେ ମନୋମାଳିନ୍ୟର ମୁଖ୍ୟ କାରଣ ହେଉଛି ଆତଙ୍କବାଦ। ଏକଥା ଏଡ଼ାଇ ଦିଆଯାଇ ପାରିବ ନାହିଁ।