Odia News Portal

ଅନେକ ଧ୍ୱଂସାବଶେଷ, ଅଗଣତି ମୃତ୍ୟୁ ଓ ସ୍ଥାନାନ୍ତରଣ ମଧ୍ୟରେ ବର୍ଷେ ପୂରିଲା, ହେଲେ ତଥାପି ହେଉନାହିଁ ପରିସମାପ୍ତି

ରୁଷ୍‌ର ୟୁକ୍ରେନ୍ ଯୁଦ୍ଧକୁ ଆଜି (ଫେବ୍ରୁଆରି ୨୪) ବର୍ଷେ ପୂରୁଛି। ଏହି ଯୁଦ୍ଧ ଫଳରେ ୟୁକ୍ରେନ୍‌ର କୋଟି କୋଟି ଲୋକ ବିସ୍ଥାପିତ ହୋଇଛନ୍ତି ବା ଅନ୍ୟ ଦେଶରେ ଶରଣ ନେଇଛନ୍ତି। ହଜାର ହଜାର ଲୋକ ମୃତ୍ୟୁବରଣ କରିଛନ୍ତି। ୟୁକ୍ରେନ୍‌ର ଅନେକ ସହର ଏକପ୍ରକାର ଧ୍ବଂସ ପାଇଯାଇଛି। ଯୁଦ୍ଧ ଶେଷ ହେବାର କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ କାରଣ ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ଅତ୍ମସମର୍ପଣ କରିବାକୁ ଅନିଚ୍ଛୁକ ଥିବାବେଳେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ୍‌କୁ ନାଜିବିହୀନ କରିବା ଲକ୍ଷ୍ୟରୁ ନିରସ୍ତ ହେଉନାହାନ୍ତି। ଏ ପରିପ୍ରେକ୍ଷୀରେ କୌଣସି ପ୍ରକାର କୂଟନୈତିକ ସମାଧାନ ଆଶା କରିବା ବୃଥା। ଅନ୍ୟପକ୍ଷରେ ଆଗକୁ ଯୁଦ୍ଧ ଆହୁରି ଭୟାବହ ହେବା ଆଶଙ୍କା କରାଯାଉଛି । ରାଷ୍ଟ୍ରପତି ପୁଟିନ ବିଶ୍ବର ସର୍ବାଧିକ ଶକ୍ତିଶାଳୀ ପରମାଣୁ କ୍ଷେପଣାସ୍ତ୍ର ‘ସରମତ’ ମୁତୟନ କରିବା ପାଇଁ ଆଜି ଘୋଷଣା କରିଛନ୍ତି। ଏହି ଘୋଷଣା ପଶ୍ଚିମ ରାଷ୍ଟ୍ରମାନଙ୍କ ମଧ୍ୟରେ ଆତଙ୍କ ଖେଳାଇଦେଇଛି। ଯୁଦ୍ଧ ଶେଷ କରିବା ପାଇଁ ସବୁ ଉଦ୍ୟମ ବିଫଳ ହେଉଥିବାରୁ ଆଗକୁ ଏହା ପରମାଣୁ ଯୁଦ୍ଧର ରୂପ ନେବ ବୋଲି ସାମରିକ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।

ଜାତିସଂଘ ମାନବାଧିକାର କମିସନଙ୍କ ସୂତ୍ରରୁ ସ୍ବୀକୃତ ତଥ୍ୟ ଅନୁସାରେ ଫେବ୍ରୁଆରି ୧୩, ୨୦୨୩ ସୁଦ୍ଧା ୟୁକ୍ରେନ୍‌ର ୭,୧୯୯ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୪୦୦ରୁ ଅଧିକ ପିଲା ଅଛନ୍ତି। ତେବେ ଏହି ସଂଖ୍ୟା ସରକାରୀ ଭାବେ ପ୍ରକାଶ କରାଯାଇଥିବା ବେଳେ ବାସ୍ତବ ସଂଖ୍ୟା ଏହାଠାରୁ ଢେର ଅଧିକ ହେବ ବୋଲି କୁହାଯାଉଛି। ଯେଉଁଠାରେ ଏବେ ବି ଭୟଙ୍କର ଯୁଦ୍ଧ ଲାଗି ରହିଛି, ସେଠାକାର ବାସ୍ତବ ସଂଖ୍ୟା ମିଳିବା କଷ୍ଟକର। ୟୁକ୍ରେନ୍ ସରକାର ଏକ ଆନୁମାନିକ ହିସାବ ଦେଇ କହିଛନ୍ତି ଯେ ଏହି ଯୁଦ୍ଧରେ ୧୬,୦୦୦ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। କିନ୍ତୁ ନରୱେର ପ୍ରତିରକ୍ଷା ବିଭାଗ ମୁଖ୍ୟଙ୍କ ପକ୍ଷରୁ ଗତମାସରେ କୁହାଯାଇଥିଲା ଯେ ସାଧାରଣଙ୍କ ମୃତ୍ୟୁସଂଖ୍ୟା ୩୦,୦୦୦ରୁ ଅଧିକ ହେବ। ଏହାଛଡ଼ା ବହୁଲୋକ ଗୁରୁତର ଆହତ ହୋଇ ଅକର୍ମଣ୍ୟ ହୋଇପଡ଼ିଛନ୍ତି। ଓଏଚ୍‌ସିଏଚ୍‌ଆର୍‌ର ଆକଳନ ଅନୁସାରେ ୧୧,୮୦୦ରୁ ଅଧିକ ସାଧାରଣ ନାଗରିକ ଆହତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରେ ୮୫୦ରୁ ଅଧିକ ପିଲା ଅଛନ୍ତି।

ଉଭୟ ପକ୍ଷର କେତେ ସୈନିକ ମରିଛନ୍ତି, ତା’ର ବାସ୍ତବ ସଂଖ୍ୟା ଜଣା ନ ଥିଲେ ମଧ୍ୟ ଏହି ଯୁଦ୍ଧରେ ଅଦ୍ୟାବଧି ପ୍ରାୟ ୩୦୦,୦୦୦ ସୈନ୍ୟ ମରିଛନ୍ତି ବୋଲି ଆକଳନ କରାଯାଇଛି। ଇଂଲଣ୍ଡର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିକଟରେ କୁହାଯାଇଛି ଯେ, ରୁଷ୍‌ର ସଶସ୍ତ୍ର ବାହିନୀର ୨୦୦,୦୦୦ ସୈନ୍ୟ ମରିଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୬୦,୦୦୦ ଯୁଦ୍ଧରତ ଅବସ୍ଥାରେ ମରିଛନ୍ତି। ପାଶ୍ଚାତ୍ୟ ଗୁଇନ୍ଦା ସଂସ୍ଥାଗୁଡ଼ିକର ଆକଳନ ଅନୁସାରେ ଏହି ଯୁଦ୍ଧରେ ୟୁକ୍ରେନ୍‌ର ୧୦୦,୦୦୦ରୁ ଅଧିକ ସୈନ୍ୟ ମରିଛନ୍ତି।

ଯୁଦ୍ଧ ଯୋଗୁ ୧୪ ନିୟୁତରୁ ଅଧିକ ୟୁକ୍ରେନୀୟ ବିସ୍ଥାପିତ ହୋଇଛନ୍ତି। ଅଧିକାଂଶ ବ୍ୟକ୍ତି ପଡ଼ୋଶୀ ଦେଶଗୁଡ଼ିକରେ ଶରଣ ନେଇଛନ୍ତି। କିନ୍ତୁ ୭ ନିୟୁତ ଲୋକ ନିଜ ଦେଶରେ ଅନ୍ୟ ସ୍ଥାନକୁ ବିସ୍ଥାପିତ ହୋଇଛନ୍ତି। ରୁଷ୍ ସୈନ୍ୟ ପଶ୍ଚିମକୁ ହଟିବା ପରେ ଅନେକ ଲୋକ ପୁଣି ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଏହି ଯୁଦ୍ଧରେ ୟୁକ୍ରେନ୍‌ର ଯେତିକି ଭିତ୍ତିଭୂମି ଉଜୁଡ଼ିଛି, ସେଗୁଡ଼ିକର ପୁନଃନିର୍ମାଣ କରିବାକୁ ପ୍ରାୟ ୧୩୮ ଶହ କୋଟି ଡଲାର ଆବଶ୍ୟକ ବୋଲି କିବ୍ ସ୍କୁଲ ଅଫ୍ ଇକୋନମିକ୍ସ (କେଏସ୍‌ଇ) ପକ୍ଷରୁ ଆକଳନ କରାଯାଇଛି। ରାସ୍ତା, ପୋଲ, ଆବାସିକ ଘର, ଶିଳ୍ପ, ଶିକ୍ଷାନୁଷ୍ଠାନ ଆଦି ପୁନଃନିର୍ମାଣ ପାଇଁ ଏତିକି ଟଙ୍କା ଖର୍ଚ୍ଚ ହେବ।

ରୁଷ୍ ବିରୋଧରେ ୟୁକ୍ରେନ୍ ସାହସର ସହ ଲଢ଼ୁଥିବା ବେଳେ ବାହାର ସାହାଯ୍ୟ ବିନା ଏହା ସମ୍ଭବ ହୋଇ ନ ଥାନ୍ତା। ନଭେମ୍ବର ୨୦୨୨ ସୁଦ୍ଧା ଆମେରିକା ଓ ୟୁରୋପୀୟ ବନ୍ଧୁରାଷ୍ଟ୍ର ୟୁକ୍ରେନକୁ ଯେଉଁ ଆର୍ଥିକ, ମାନବିକ ଓ ସାମରିକ ସାହାଯ୍ୟ ପ୍ରଦାନ କରିଛନ୍ତି ତାହାର ପରିମାଣ ହେବ ୧୧୦ ଶହ କୋଟି ଡଲାର।