Odia News Portal

ଓଡ଼ିଶା ଏବେ ରୋଲ୍ ମଡେଲ୍: ମୁଖ୍ୟମନ୍ତ୍ରୀ

ବିଧାନସଭା‌ରେ ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଉପରେ ହୋଇଥିବା ଆଲୋଚନାର ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ତେବେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ବ୍ୟକ୍ତ କରି ବିରୋଧୀ ଦଳ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ସମନ୍ବିତ ବିକାଶ ଓ ସଶକ୍ତୀକରଣ ଭିତ୍ତିକ ନୀତି ପାଇଁ ଓଡ଼ିଶାବାସୀ ବାରମ୍ବାର ଆମ ସରକାର ଉପରେ ଆସ୍ଥା ସ୍ଥାପନ କରୁଛନ୍ତି। ଲୋକଙ୍କ ସମର୍ଥନ ଓ ସହଯୋଗ ପାଇଁ ଅନେକ ସଙ୍କଟକୁ ସଫଳତାର ସହ ମୁକାବିଲା କରି ଓଡ଼ିଶା ଆଗକୁ ମାଡ଼ି ଚାଲିଛି। ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ରୋଲ୍ ମଡେଲ୍ ହୋଇଛି। ଦେଶରେ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ଆମର ଯାତ୍ରା ଜାରି ରହିଛି। ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ସଂସ୍ଥାକୁ ସଂପୃକ୍ତ କରି ନିକଟରେ ହକି ବିଶ୍ବକପ୍‌ର ସଫଳ ଆୟୋଜନ ଓଡ଼ିଶାର ଦକ୍ଷତାକୁ ପ୍ରମାଣିତ କରିଛି। ଗତ ବର୍ଷ ‘ମେକ୍ ଇନ୍ ଓଡ଼ିଶା’ କନ୍‌କ୍ଲେଭ୍‌ରେ ପୁଞ୍ଜିନିବେଶକମାନଙ୍କ ଆଗ୍ରହ ଦେଖିବାକୁ ମିଳିଥିଲା। ଆମ ନୂଆ ଶିଳ୍ପ ନୀତି ଆସନ୍ତା ୫ ବର୍ଷରେ ଓଡ଼ିଶାକୁ ପୂର୍ବ ଭାରତର ଶିଳ୍ପ ହବ୍‌ରେ ପରିଣତ କରିବ। ରାଉରକେଲା ଓ ଜୟପୁର ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଛି। ଖୁବ୍ ଶୀଘ୍ର ଦୁବାଇ, ଗ୍ୟାଙ୍ଗଟକ୍‌ ଓ ସିଙ୍ଗାପୁରକୁ ବିମାନ ଉଡ଼ାଣ ଆରମ୍ଭ ହେବ। ଆଗକୁ ରାଜ୍ୟର କୌଣସି ଅଞ୍ଚଳରେ ଲୋ ଭୋଲ୍‌ଟେଜ୍ ସମସ୍ୟା ରହିବନି।

ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ସର୍ବନିମ୍ନ ବେକାରୀ ହାର ୦.୯% ରହିଛି। କେନ୍ଦ୍ର ସରକାରଙ୍କ ଦ୍ବାରା ଏହି ରେଟିଂ କରାଯାଇଛି। ଆମ ସରକାର କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଏବଂ ଜଳସମ୍ପଦରେ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ସର୍ବାଧିକ ଧାନ ଉତ୍ପାଦନକାରୀ ରାଜ୍ୟ ଭାବେ ଓଡ଼ିଶା ମାନ୍ୟତା ପାଇଛି। ଏହା ବାଦ୍ ମିଲେଟ୍‌ର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୦ ଲକ୍ଷରୁ ଅଧିକ ପରିବାର ସ୍ବାସ୍ଥ୍ୟ ସେବା ପାଇପାରିଛନ୍ତି। ସରକାରୀ ହସ୍ପିଟାଲ୍‌ଗୁଡ଼ିକରେ ଖାଲି ଥିବା ପଦବି ପୂରଣ ସହ ଭିତ୍ତିଭୂମିର ବିକାଶ କରାଯାଉଛି। ପୁରୀ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ନୂଆ ମେଡିକାଲ କଲେକ, କଟକ ଓ ଭୁବନେଶ୍ବରରେ ପିଜି ଅନୁଷ୍ଠାନ ଖୋଲାଯାଇଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ଘରୋଇ ସ୍କୁଲ୍‌ ତୁଳନାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ସରକାରୀ ହାଇସ୍କୁଲ୍‌ରେ ପଢ଼ିବା ପାଇଁ ଚାହିଦା ବଢ଼ୁଛି। ୨୦୨୪ ସୁଦ୍ଧା ରାଜ୍ୟର ସବୁ ଘରକୁ ପାଇପ ଜଳ ସଂଯୋଗ ଦିଆଯିବ। ୨୦୨୩ ଡିସେମ୍ବର ସୁଦ୍ଧା ସହରାଞ୍ଚଳର ଶତ ପ୍ରତିଶତ ଘରକୁ ଟ୍ୟାପ୍ ସଂଯୋଗ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।