Odia News Portal

ବିମାନ ପାହାଚରେ ଆରୋହଣ କରିବା ବେଳେ ଝୁଣ୍ଟି ପଡିଲେ ଜୋ ବାଇଡେନ

ପୋଲାଣ୍ଡ୍‌ର ୱାର୍‌ସରେ ‘ଏୟାର୍‌‌ ଫୋର୍ସ ୱାନ୍‌’ ବିମାନର ପାହାଚ ଆରୋହଣ କରିବା ବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଝୁଣ୍ଟି ପଡ଼ିଯିବା ପରି ମନେହେଉଛି।

ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାଇରାଲ୍‌ ହେଉଥିବା ଉକ୍ତ ଘଟଣାର ଭିଡିଓରେ ଦେଖାଯାଉଛି ଉପର ପାହାଚରେ ଝୁଣ୍ଟି ଜୋ ବାଇଡେନ୍‌ ପଡ଼ିଯାଉଥିବା ବେଳେ ଆଉ ଗୋଟାଏ ପାହାଚକୁ ଆଶ୍ରା କରି ସମ୍ଭାଳି ହୋଇ ଯାଉଛନ୍ତି। ତା’ପରେ ସେ ବୁଲିପଡ଼ି ହାତ ହଲାଇ ଅଭିବାଦନ ଜଣାଇବା ପରେ ବିମାନ ଭିତରକୁ ପଶିଯାଉଛନ୍ତି।

ୟୁକ୍ରେନ୍‌ ଓ ପୋଲାଣ୍ଡ୍‌ ଗସ୍ତ ଶେଷ କରି ୱାସିଂଟନ୍‌ ଡି.ସି.କୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଉପରୋକ୍ତ ଘଟଣାଟି ଘଟିଥିଲା। କିନ୍ତୁ, ହ୍ବାଇଟ୍‌ ହାଉସ୍‌ ଏ ଘଟଣା ସଂକ୍ରାନ୍ତରେ କିଛି ପ୍ରତିକ୍ରିୟା ବ୍ୟକ୍ତ କରିନାହିଁ।

ସ୍ମରଣଯୋଗ୍ୟ, ପ୍ରାୟ ଦୁଇ ବର୍ଷ ତଳେ ‘ଜଏଣ୍ଟ୍‌ ବେସ୍‌ ଆଣ୍ଡ୍ରିଉଜ୍‌’ରେ ଜୋ ବାଇଡେନ୍‌ ଏମିତି ପଡ଼ିଯାଇଥିଲେ। ଏ ସଂକ୍ରାନ୍ତରେ ହ୍ବାଇଟ୍‌ ହାଉସ୍‌ ପବନକୁ ଦାୟୀ କରି କହିଥିଲା କି, ରାଷ୍ଟ୍ରପତି ସମ୍ପୂର୍ଣ୍ଣ ଠିକ୍‌ ଅଛନ୍ତି।

ହ୍ବାଇଟ୍‌ ହାଉସ୍‌ ପ୍ରେସ୍ ସଚିବ କେରାଇନ୍‌ ଜିନ୍‌-ପାଇରେ ସେତେବେଳେ ସାମ୍ବାଦିକମାନଙ୍କୁ କହିଥିଲେ, ବାହାରେ ଯୋର୍‌ରେ ପବନ ବହୁଥିଲା, ଖୁବ୍‌ ଯୋର୍‌ରେ। ମୁଁ ନିଜେ ବି ପାହାଚ ଚଢ଼ି ଉପରକୁ ଉଠିବା ବେଳେ ପଡ଼ିଗଲା ପରି ଲାଗିଲା। ରାଷ୍ଟ୍ରପତି ସମ୍ପୂର୍ଣ୍ଣ ଠିକ୍‌ ଅଛନ୍ତି।

ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ଜୋ ବାଇଡେନ୍‌ ଅଚାନକ ୟୁକ୍ରେନ୍‌ ଗସ୍ତ କରି ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କୁ ଭେଟିଥିଲେ। ଜେଲେନ୍‌ସ୍କିଙ୍କୁ ସେ କହିଛନ୍ତି କି, ରୁଷୀୟ ଆକ୍ରମଣର ଶିକାର ହୋଇଥିବା ୟୁକ୍ରେନ୍‌ ପ୍ରତି ତାଙ୍କର ପୂର୍ଣ୍ଣ ସମର୍ଥନ ଓ ସହଯୋଗ ଅତୁଟ ରହିଛି। ଏହା ପରେ ଜୋ ବାଇଡେନ୍‌ ପୋଲାଣ୍ଡ୍‌ ଗସ୍ତ କରି ସେଠାକାର ରାଷ୍ଟ୍ରପତି ଆଣ୍ଡର୍‌ଜେଜ୍‌ ଦୁଦାଙ୍କୁ ଭେଟିଥିଲେ।