Odia News Portal

ଯାତ୍ରୀବାହୀ ବସ୍‌ ଜାଳିଦେଲେ ଦୁର୍ବୁତ୍ତ

ଛିଡ଼ା ହୋଇଥିବା ଯାତ୍ରୀବାହୀ ବସ୍‌ରେ ଦୁର୍ବୁତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ଗତକାଲି ମଧ୍ୟରାତ୍ରିରେ ଘଟିଥିବା ଏହି ଘଟଣାର ଶିକାର ହୋଇଛନ୍ତି ବସ୍‌ ଭିତରେ ଶୋଇଥିବା କଣ୍ଡକ୍ଟର। କିନ୍ତୁ ସୌଭାଗ୍ୟର ବିଷୟ ଯେ, କଣ୍ଡକ୍ଟର ଜଣକ ନିଶ୍ଚିତ ଭାବେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ନୂଆଗାଁ ଲୁଆରାମରେ ଏମିତି ଘଟଣା ଘଟିଛି।

ସୂଚନା ମୁତାବକ ପ୍ରତିଦିନ ଭଳି ଗତକାଲି ମଧ୍ୟ ଯାତ୍ରୀବାହୀ ବସ୍‌ ‘ଶେଫାଳି’ ରାଉରକେଲାରୁ ଅପରାହ୍ନ ସାଢ଼େ ୪ଟାରେ ଛାଡ଼ି ଲୋଆରାମକୁ ସନ୍ଧ୍ୟା ସାତଟା ସମୟରେ ପହଞ୍ଚିଥିଲା। ବସଟି ପହଞ୍ଚିବା ପରେ ଡ୍ରାଇଭର ନିରାଲ ବୁଡ଼ ନିଜ ଘର କଦଲକା ଗ୍ରାମକୁ ଯାଇଥିଲେ। ବସ୍‌ର ଖାଲାସି (ହେଲ୍‌ପର) ସୋନୁ ଗୌଡ଼ ମଧ୍ୟ ନିଜ ଘର ଚିଟିକିଦିରି ଗ୍ରାମକୁ ଶୋଇବାକୁ ଚାଲିଯାଇଥିଲେ। କଣ୍ଡକ୍ଟର ରାଜେଶ କୁମାର ବଡ଼ାଇକ ବିଶ୍ରା ବ୍ଲକ ଏର୍ଲା ଗ୍ରାମର ହୋଇଥିବାରୁ ସେ ଘରକୁ ନ ଯାଇ ବସ୍‌ ଭିତରେ ହିଁ ଶୋଇଥିଲେ। ରାତିପ୍ରାୟ ତିନିଟା ବସର ଆଗ କାଚ ଫାଟି ଶବ୍ଦହେବାରୁ ତାଙ୍କ ନିଦ ଭାଙ୍ଗିଯାଇଥିଲା। ସେ ବସ୍‌ ପଛପଟ କାଚଭାଙ୍ଗି ବାହାରକୁ ଚାଲି ଆସିଥିଲେ। ଏହି ଘଟଣାରେ ପିଏଲ୍‌ଏଫ୍‌ଆଇ ସମୃକ୍ତିକୁ ପୁଲିସ ଖଣ୍ଡନ କରିଛି। ସ୍ଥାନୀୟ ଲୋକ କିମ୍ବା ବସ୍‌ କର୍ମଚାରୀମାନଙ୍କ ସହ ସ୍ଥାନୀୟ ଲୋକଙ୍କ ଭିତରେ କୌଣସି ମତାନ୍ତରରୁ ଏଭଳି ଘଟଣା ଘଟିଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି। ତେବେ ପୁଲିସ ସବୁ ଦିଗକୁ ଅନୁଧ୍ୟାନ କରି ନିଜ ତଦନ୍ତ ଆରମ୍ଭ କରିଛି।