ପାରିବାରିକ ବିବାଦକୁ ନେଇ ଏସିଡ ମାଡ କଲେ ଯୁବକ | ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଭୀମପୁର ଗାଁର ଏସିଡ ମାଡ଼ରେ ଚାରିଜଣ ଗୁରୁତର ହୋଇପଡିଛନ୍ତି । ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବାବେଳେ ଦୁଇ ଜଣ ଶିଶୁ ଅଛନ୍ତି । ମିଳିଥିବା ସୂଚନା ମୁତାବକ ଭୀମପୁର ଗାଁ’ର କାର୍ତ୍ତିକ ସିଂଙ୍କର ଦୁଇ ଝିଅଙ୍କ ମଧ୍ୟରୁ ସାନ ଝିଅ ବନିତା ସିଂ ଦେଢ଼ ମାସ ତଳେ ନୀଳଗିରି ନୟାପାଟଣାର ଚନ୍ଦନ କୁମାର ରଣା ନାମକ ଯୁବକଙ୍କୁ ବିବାହ କରିଥିଲେ ।
ହେଲେ ତା ପୂର୍ବରୁ ଚନ୍ଦନଙ୍କର ଆଉ ଏକ ମହିଳାଙ୍କ ସହ ସମ୍ପର୍କ ଥିବାର ଜାଣି ତାଙ୍କ ସହ ଆଉ ଶାଶୂଘରକୁ ବନିତା ଯାଇନଥିଲେ | ଆଜି ତାଙ୍କ ଘରକୁ ଚନ୍ଦନ କୁମାର ରଣା ବନିତାଙ୍କୁ ନେବା ପାଇଁ ଆସିଥିବାବେଳେ ସାଙ୍ଗରେ ଏସିଡ ଆଣିଥିଲେ । ଆଉ ଆଜି ଉଭୟଙ୍କ ମଧ୍ୟରେ କଥା କଟାକଟି ପରେ ଚନ୍ଦନ ସ୍ତ୍ରୀ ଓ ବଡ଼ ଭଉଣୀ ଅର୍ଥାତ ଦେଢ଼ଶାଳୀଙ୍କୁ ଏସିଡ ମାଡ଼ କରିଥିଲା । ଏସିଡ ବନିତାଙ୍କ ବଡ଼ ଭଉଣୀ ଓ ତାଙ୍କର ଦୁଇ ଶିଶୁଙ୍କ ଉପରେ ପଡିଥିଲା । ସମସ୍ତଙ୍କୁ ଜିଲ୍ଲା ମେଡ଼ିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି |