Odia News Portal

ପୁଣି ଅଜ୍ଞାତ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତରକୋରିଆ

ଆଜି ପ୍ରତ୍ୟୁଷରେ ଉତ୍ତର କୋରିଆ ଗୋଟାଏ ଅଜ୍ଞାତ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆ ସେନା କହିଛି।

ଏହା ହେଉଛି ୪୮ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଉତ୍ତର କୋରିଆର ଦ୍ବିତୀୟ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ।

ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା ଓ ଦକ୍ଷିଣ କୋରିଆ ମିଳିତ ସମରାଭ୍ୟାସ କରିବାର ଦିନକ ପରେ ଅର୍ଥାତ୍‌ ଆଜି ଉତ୍ତର କୋରିଆ ଏହି କ୍ଷେପଣାସ୍ତ୍ର ନି‌କ୍ଷେପ କରିଛି।

ସୋମବାର ଦିନ ଉତ୍ତର କୋରିଆ ପୂର୍ବ ସାଗର ଆଡ଼କୁ ଗୋଟାଏ ଅଜ୍ଞାତ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ବୋଲି ସିଓଲ୍‌ର ‘ଜଏଣ୍ଟ୍‌ ଚିଫ୍‌ ଅଫ୍‌ ଷ୍ଟାଫ୍‌’ କହିଥିବା କଥା ରାଷ୍ଟ୍ରାୟାତ ‘ୟୋନ୍‌ହାପ୍‌ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ କରିଛି। ଏଠାରେ ଜାପାନ ସାଗରକୁ ସେ ପୂର୍ବ ସାଗର ବୋଲି କହିଛନ୍ତି।

ଟୁଇଟ୍‌ କରି ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଲେଖିଛି ଯେ, ଉତ୍ତର କୋରିଆ ଗୋଟାଏ ଅଜ୍ଞାତ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଅଧିକ ବିବରଣୀ ନ ଦେଇ ଜାପାନୀ ତଟରକ୍ଷୀ ମଧ୍ୟ କହିଛି ଯେ, ନିକ୍ଷେପ କରାଯିବା ପରେ ପରେ କ୍ଷେପଣାସ୍ତ୍ରଟି ତଳୁ ଖସିପଡ଼ିଥିବା ପରି ଜଣାପଡୁଛି।

ଉଲ୍ଲେଖଯୋଗ୍ୟ, ଶନିବାର ଦିନ ଉତ୍ତର କୋରିଆ ଅର୍ନ୍ତମହାଦେଶୀୟ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିବାରୁ ରବିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ଓ ଦକ୍ଷିଣ କୋରିଆ ମିଳିତ ବାୟୁସେନା ସମରାଭ୍ୟାସ ପ୍ରଦର୍ଶନ କରିଥିଲେ। ଏହି ସମରାଭ୍ୟାସରେ ବୋମା ବର୍ଷଣକାରୀ ବିମାନ ଓ ରାଡାର୍‌ରେ ଧରାପଡୁ ନ ଥିବା ଲଢୁଆ ବିମାନ ସାମିଲ କରାଯାଇଥିଲା।