ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍ ଅଞ୍ଚଳରେ ରହିଥିବା ହେକ୍ଟର ହେକ୍ଟର ଶାଳ ଜଙ୍ଗଲ ଏବେ ଜଳୁଛି। ଜଙ୍ଗଲ ସୁରକ୍ଷା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରାଯାଉଥିଲେ ହେଁ ଜଙ୍ଗଲ ନିଆଁକୁ ନିର୍ବାପିତ କରିବା ପାଇଁ କାହାର ଦାୟିତ୍ବ କିମ୍ବା ଦୃଷ୍ଟି ଥିଲା ପରି ଲାଗୁନାହିଁ। ଯାହାଫଳରେ ଜଙ୍ଗଲ ହୁତୁହୁତୁ ହୋଇ ଜଳୁଥିଲେ ସୁଦ୍ଧା ନା ବନ ବିଭାଗ ନା ଅଗ୍ନିଶମ ବିଭାଗ ବନାଗ୍ନି ନିୟନ୍ତ୍ରଣ ପାଇଁ ଉଦ୍ୟମ କରୁଛି। ସେପଟେ ବନାଗ୍ନି ଯୋଗୁଁ ହାହାକାର କରୁଛନ୍ତି ପଶୁପକ୍ଷୀ ଓ ସରୀସୃପ। ଜଙ୍ଗଲ ନିଆଁରେ ବିଭିନ୍ନ ପ୍ରଜାତିର ପକ୍ଷୀ, ଶାଳ, ପିଆଶାଳ, ଶାଗୁଆନ୍ ଭଳି ମୂଲ୍ୟବାନ ଗଛ ସହିତ ହଜାର ହଜାର ପ୍ରଜାତିର ଔଷଧୀୟ ଗୁଳ୍ମ ପୋଡ଼ି ଯାଉଛି। ମୋରଡ଼ା ବ୍ଲକ୍ ଅଞ୍ଚଳରେ ରହିଥିବା ବିଶାଳ ଶାଳ ଜଙ୍ଗଲ ରାସଗୋବିନ୍ଦପୁର ରେଞ୍ଜ ଓ ବେତନଟୀ ରେଞ୍ଜ ଅଧୀନରେ ରହିଛି। ଏତେ ବଡ଼ ଜଙ୍ଗଲର ଦେଖାରଖା ଦାୟିତ୍ବ ମୁଷ୍ଟିମେୟ କର୍ମଚାରୀଙ୍କ ଦ୍ବାରା କଦାପି ସମ୍ଭବ ନୁହେଁ। ସୁତରାଂ ଏ ନେଇ ବ୍ୟାପକ ଜନସଚେତନତା, ବିଭିନ୍ନ ସଙ୍ଗଠନ,ଏସ୍ଏଚ୍ଜି ମହିଳାମାନଙ୍କ ସହିତ ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ଜଙ୍ଗଲ ସୁରକ୍ଷା ନିମନ୍ତେ ପଦକ୍ଷେପ ଗ୍ରହଣ କଲେ ଜଙ୍ଗଲ ସୁରକ୍ଷା ସମ୍ଭବ ହୋଇପାରିବ। ଏଥିସହିତ ମନୁଷ୍ୟକୃତ ଜଙ୍ଗଲ ନିଆଁ ଓ ସେଥିରେ ସଂପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ବନାଗ୍ନି କମିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।