Odia News Portal

ଭାରତରେ ନେଟଫ୍ଲିକ୍ସର ଅଭିବୃଦ୍ଧି ବିଶ୍ବରେ ସର୍ବାଧିକ

ଆମେରିକୀୟ ଷ୍ଟ୍ରିମିଂ ସେବା ପ୍ରଦାନକାରୀ କମ୍ପାନି ନେଟ୍‌ଫ୍ଲିକ୍ସର ବ୍ୟାବସାୟିକ ଅଗ୍ରଗତି ଭଲ ରହିଛି ବୋଲି ଏହାର କୋ-ସିଇଓ ଟେଡ୍ ସାରାନଡୋସ୍‌ କହିଛନ୍ତି। ନିକଟରେ ଭାରତ ଗସ୍ତରେ ଆସିଥିବା ସାରାନଡୋସ୍ କହିଛନ୍ତି ୨୦୨୨ରେ ଭାରତରେ ନେଟଫ୍ଲିକ୍ସର ଅଭିବୃଦ୍ଧି ବିଶ୍ବରେ ସର୍ବାଧିକ ରହିଥିଲା।

ଭାରତରେ କମ୍ପାନିର ପେଡ୍‌ ଗ୍ରାହକଙ୍କ ନିଟ୍‌ ସଂଖ୍ୟା ବି ବିଶ୍ବରେ ସବୁଠୁ ଅଧିକ ରହିଥିଲା। ନେଟଫ୍ଲିକ୍ସରେ ଗ୍ରାହକଙ୍କ ସଂଖ୍ୟା, ରାଜସ୍ବ ଏବଂ ଲାଭରେ ଯଥେଷ୍ଟ ଉନ୍ନତି ଆସିଛି। ଲୋକମାନେ ନେଟଫ୍ଲିକ୍ସକୁ ଦେଖିବାରେ ୩୦ ପ୍ରତିଶତ ଅଧିକ ସମୟ ବିତାଇଥିବାବେଳେ ରାଜସ୍ବରେ ୨୫ ପ୍ରତିଶତ ବୃଦ୍ଧି ଘଟିଛି। ଆରଆରଆର ଏବଂ ଗଙ୍ଗୁବାଇ କାଠିଆୱାଡ଼ି ଭଳି ବିଷୟବସ୍ତୁ ପାଇଁ ନେଟଫ୍ଲିକ୍ସକୁ ଭାରତରେ ସଫଳତା ମିଳିଛି ବୋଲି ସେ କହିଛନ୍ତି। କମ୍ପାନିର ସିଇଓ ରିଡ୍‌ ହଷ୍ଟିଙ୍ଗ୍‌ସ ଗତମାସରେ ଇସ୍ତଫା ଦେବା ପରେ ଏହି ପଦରେ ଗ୍ରେଗ୍ ପିଟର୍ସ ଏବଂ ସାରାନଡୋସ୍‌ଙ୍କୁ ନିଯୁକ୍ତି ଦିଆଯାଇଛି।

ବିବିସିର ଡକ୍ୟୁମେଣ୍ଟାରି ବିବାଦୀୟ ହେବାପରେ ଭାରତୀୟ ରାଜନୈତିକ ‌ବ୍ୟକ୍ତି କିମ୍ବା ପ୍ରସଙ୍ଗକୁ ନେଇ ନେଟଫ୍ଲିକ୍ସ କିଛି ଡକ୍ୟୁମେଣ୍ଟାରି କିମ୍ବା ସରିଜ୍ ଆଣିବ ବୋଲି ପ୍ରଶ୍ନରେ ସାରାନଡୋସ କହିଛନ୍ତି ଆମେ ଏଠାରେ ମନୋରଞ୍ଜନ ସେବା ଯୋଗାଇ ଦେବା ପାଇଁ ଆସିଛୁ। ସରକାର ଓ ଲୋକଙ୍କ ବିରୋଧରେ ଲଢ଼ିବା କମ୍ବା ରାଗ ସୃଷ୍ଟି କରିବା ପାଇଁ ଆସିନାହୁଁ। ‌ଆମେ ଯେଉଁଠି କାର୍ଯ୍ୟ କରୁ ସେଠାକାର ସ୍ଥାନୀୟ ଆଇନକୁ ସମ୍ମାନ ଦେଇଥାଉ। ମାନ୍ଦାବସ୍ଥାରେ ‌ଭାରତର ବ୍ୟବସାୟ ପ୍ରଭାବିତ ହୋଇନାହିଁ। ଭାରତରେ ନେଟଫ୍ଲିକ୍ସର ପ୍ରାୟ ୨୫୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ପ୍ରମୁଖ ସେଣ୍ଟର ମୁମ୍ବାଇ ଏବଂ ଦିଲ୍ଲୀରେ ରହିଛି।