Odia News Portal

ଆୟକର ବିଭାଗର ବଡ ଅଭିଯୋଗ; ଟିକସ ପୈଠ କରିନି ବିବିସି

ବିବିସିର ଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟ ଉପରେ ତିନିଦିନ ଧରି ସର୍ଭେ ଗତକାଲି ଶେଷ ହେବା ପରେ ଆୟକର ବିଭାଗ ପକ୍ଷରୁ ଆଜି ଏହା ବିରୋଧରେ ବଡ଼ ଅଭିଯୋଗ ଅଣାଯାଇଛି। ଭାରତରେ ବିବିସିର ପରିଚାଳନା ଯେଉଁ ସ୍ତରରେ ରହିଛି ସେହି ଅନୁପାତରେ ଆୟ କିମ୍ବା ଲାଭ ଏହି ସଂସ୍ଥା ଦର୍ଶାଉନାହିଁ। ଇଂରାଜୀ ସମେତ ବିଭିନ୍ନ ଭାରତୀୟ ଭାଷାରେ ବିବିସିର ବିଷୟବସ୍ତୁକୁ ବହୁମାତ୍ରାରେ ବ୍ୟବହାର କରାଯାଉଛି। ଏହାସତ୍ତ୍ବେ ବିବିସି ଗ୍ରୁପ୍‌ର ବିଭିନ୍ନ ସଂସ୍ଥାର ଆୟ ଏବଂ ଲାଭରେ ଅସଙ୍ଗତି ରହିଛି ବୋଲି ଆୟକର ବିଭାଗ କହିଛି।

ଭାରତରେ କମ୍ପାନିର କାର୍ଯ୍ୟ ସଂପର୍କରେ ଆୟକର ବିଭାଗ ପ୍ରମାଣ ସଂଗ୍ରହ କରିଛି। ଏଥିରୁ ଜଣାପଡ଼ିଛି କେତେ ଅର୍ଥ ପ୍ରେରଣ ଉପରେ ଟିକସ ପଇଠ କରାଯାଇନାହିଁ। ଅର୍ଥାତ୍‌ ଉକ୍ତ ଗ୍ରୁପ୍‌ର ବିଦେଶୀ ସଂସ୍ଥାଗୁଡ଼ିକ ଦ୍ବାରା ସେହି ଆୟକୁ ଅଘୋଷିତ ରଖାଯାଇଛି। ଦସ୍ତାବିଜ୍‌ ଏବଂ ରାଜିନାମା ଆଦି ସଂପର୍କରେ ଯେତେବେଳେ ବିବିସି କର୍ମଚାରୀମାନଙ୍କୁ ତଥ୍ୟ ମଗାଗଲା ସେମାନେ ଏହାକୁ ପ୍ରଦାନ କରିବାରେ ବିଳମ୍ବ ରଣନୀତି ଆପଣାଇଥିଲେ। ସର୍ଭେ ଫଳରେ ଆୟକର ବିଭାଗକୁ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ମିଳିଛି। ଅର୍ଥ, କଣ୍ଟେଣ୍ଟ ଡେଭଲପମେଣ୍ଟ ବା ବିଷୟବସ୍ତୁ ବିକାଶ ଏବଂ ଅନ୍ୟାନ୍ୟ ପ୍ରଡକ୍ସନ କାର୍ଯ୍ୟରେ ନିୟୋଜିତ ଗୁରୁତ୍ବପୂର୍ଣ୍ଣ କର୍ମଚାରୀଙ୍କ ବୟାନ ରେକର୍ଡ କରାଯାଇଛି। ଯଦିଓ ଆୟକର ବିଭାଗ କେବଳ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ଥିବା ଅଧିକାରୀମାନଙ୍କ ବୟାନ ରେକର୍ଡ କରିଛି ତଥାପି ଦସ୍ତାବିଜ୍‌ ଏବଂ ରାଜିନାମା ଆଦି ଯାହାସବୁ ମଗାଯାଇଥିଲା ତାହା ପ୍ରଦାନ କରିବା କ୍ଷେତ୍ରରେ ବିଳମ୍ବ ରଣନୀତି ସେମାନେ ଆପଣାଇଥିଲେ।