ଆଜି ମହାଶିବରାତ୍ରି। ନିର୍ଦ୍ଧାରିତ ନୀତିନିର୍ଘଣ୍ଟ ଅନୁସାରେ ରାତି ୧୦ଟାରେ ଶ୍ରୀଲିଙ୍ଗରାଜ ମନ୍ଦିର ଚୂଡ଼ାକୁ ଉଠିବ ମହାଦୀପ। ଜାଗରବ୍ରତଧାରୀଙ୍କଠାରୁ ଆରମ୍ଭ କରି ସବୁ ମହଲରୁ ଲୋକମାନେ ମହାଦୀପ ଦର୍ଶନ ପାଇଁ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି। ଜାଗରବ୍ରତଧାରୀମାନେ ଉପବାସ କରିବା ସହ ମନ୍ଦିରରେ ରାତିସାରା ବସି ଦୀପ ଜାଳିବେ। ତେଣୁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇଉଠିଲାଣି। ଏକାମ୍ର କ୍ଷେତ୍ରର ସମସ୍ତ ଶୈବପୀଠ ସୁସଜ୍ଜିତ ଆଲୋକମାଳାରେ ଝଲସୁଛି। ରାତି ପାହିବା ମାତ୍ରେ ଶିବ ପଞ୍ଚାକ୍ଷରୀ ମନ୍ତ୍ରରେ କମ୍ପିଥିଲା ଏକାମ୍ର କ୍ଷେତ୍ର। ମହାପ୍ରଭୁଙ୍କ ସମସ୍ତ ନୀତି ଠିକଣା ସମୟରେ ସଂପନ୍ନ ହେବା ପାଇଁ ପ୍ରଶାସନ ଓ ସେବାୟତମାନେ ସମନ୍ୱୟ ରଖି କାର୍ଯ୍ୟ ଚଳାଇଛନ୍ତି। ମନ୍ଦିର ପରିସରରେ ଯେପରି କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ନ ହୁଏ, ସେଥିପ୍ରତି ପ୍ରଶାସନ ସଜାଗ ଥିବା ବେଳେ ଆଇନଶୃଙ୍ଖଳା ରକ୍ଷା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତାକାଲି ଏକାମ୍ର କ୍ଷେତ୍ରକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଆସିବେ। ତେଣୁ ସିଟି ବସ୍ ସଂଖ୍ୟା ବଢ଼ାଇଦିଆଯାଇଛି। ସେହିଭଳି ଗାଡ଼ି ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ବିଏମ୍ ହାଇସ୍କୁଲ, ସୁଭଦ୍ରା ମହତାବ ଉଚ୍ଚ ବିଦ୍ୟାଳୟ, ଗୋସାଗରେଶ୍ୱର ଉପ୍ରା ବିଦ୍ୟାଳୟ ଓ ନୂତନ ମାର୍କେଟ୍ ନିକଟରେ ପାର୍କିଂ ସ୍ଥାନ ନିରୂପଣ କରାଯାଇଛି। ଶିବରାତ୍ରି ଉପଲକ୍ଷେ ମନ୍ଦିର ଗର୍ଭଗୃହରେ ଲାଗିଛି ଏକ ବିଶାଳ ଚାନ୍ଦୁଆ। ୨୨ଫୁଟ୍ ଚଡ଼ଡା, ୨୨ଫୁଟ୍ ଲମ୍ବ ବିଶିଷ୍ଟ ଏହି ଚାନ୍ଦୁଆକୁ ଜଣେ ଭକ୍ତ ଦାନ କରିଛନ୍ତି। ମନ୍ଦିର ପ୍ରଶାସନ ସହଯୋଗରେ ଏଏସ୍ଆଇ ପକ୍ଷରୁ ଏହାକୁ ଲଗାଯାଇଛି। ସେହିପରି ଗର୍ଭଗୃହକୁ ଏଏସ୍ଆଇ ପକ୍ଷରୁ ବଡ଼ ସୁନ୍ଦର ଭାବେ ରଙ୍ଗ କରାଯାଇ ମହାଆଡମ୍ବରରେ ଚାଲିଛି ଶିବଶମ୍ଭୁଙ୍କ ପୁଜାପାଠ।