Odia News Portal

 ଜଣେ ଓଡ଼ିଆ ପୁଅକୁ ମିଳିବ BCCI ର ମୁଖ୍ୟ ଚୟନକର୍ତ୍ତା ଦାୟିତ୍ୱ

ଚେତନ ଶର୍ମା ନିଜ ପଦରୁ ଇସ୍ତଫା ଦେବା ପରେ ଚାରିଜଣିଆ ଚୟନ କମିଟିରେ ଉପସ୍ଥିତ ଥିବା ଓଡ଼ିଆ ପୁଅ ଶିବ ସୁନ୍ଦର ଦାସଙ୍କୁ ବର୍ତ୍ତମାନ ଅନ୍ତରୀଣ ମୁଖ୍ୟ ଚୟନ କର୍ତ୍ତା କରାଯିବାକୁ ଯୋଜନା କରାଯାଉଛି  । ସେ ମଧ୍ୟ ବିସିସିଆଇର ନୂତନ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତି ପାଇପାରନ୍ତି । କାରଣ ବର୍ତ୍ତମାନର କମିଟିରେ ଶିବ ସୁନ୍ଦର ଦାସ ସବୁଠାରୁ ଅଭିଜ୍ଞ । ଚୟନ କମିଟିରେ ଅନ୍ତର୍ଭୁକ୍ତ ସାଲିଲ ଆଙ୍କୋଲା (୧ ଟେଷ୍ଟ, ୨୦ ଟି ODI), ସୁବ୍ରୋତ ବାନାର୍ଜୀ (୧ ଟେଷ୍ଟ, ୬ ଟି ODI), ସିଦ୍ଧାର୍ଥ ଶରଦ (୧୩୯ ଟି ପ୍ରଥମ ଶ୍ରେଣୀ ମ୍ୟାଚ୍) ତୁଳନାରେ ଶିବ ସୁନ୍ଦରଙ୍କ ଅଧିକ ଅଭିଜ୍ଞତା ରହିଛି । ଏଭଳି ପରିସ୍ଥିତିରେ ଶିବ ସୁନ୍ଦର ଆଗାମୀ ସ୍ଥାୟୀ ମୁଖ୍ୟ ଚୟନକର୍ତ୍ତା ଭାବରେ କାର୍ଯ୍ୟ କରିପାରନ୍ତି ।

କହିରଖୁଛୁ ଯେ ଶିବ ସୁନ୍ଦର ଦାସ ଟିମ୍ ଇଣ୍ଡିଆ ପାଇଁ ୨୩ ଟି ଟେଷ୍ଟ ମ୍ୟାଚ୍, ୪ଟି ODI ଓ ୩ଟି-୨୦ ମ୍ୟାଚ୍ ଖେଳିଛନ୍ତି । ହାରାହାରି ୩୪.୮୯ ରେ ସେ ଟେଷ୍ଟ ମ୍ୟାଚରେ ୧୩୨୬ ରନ୍ କରିଥିବାବେଳେ ODI କ୍ରିକେଟ୍ ରେ ସେ ହାରାହାରି ୧୩ ରେ ୩୯ ରନ୍ ସଂଗ୍ରହ କରିଛନ୍ତି । ଶିବ ସୁନ୍ଦର ଦାସ ୨୦୦୦ ମସିହାରେ ଢାକାରେ ବାଂଲାଦେଶ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ । ଏହା ପରେ ସେ ଟିମ୍ ଇଣ୍ଡିଆର ସଦସ୍ୟ ଥିଲେ, ଯାହା ଅଷ୍ଟ୍ରେଲିଆ ବିପକ୍ଷ କୋଲକାତା ଟେଷ୍ଟରେ ଏକ ଐତିହାସିକ ବିଜୟ ପଞ୍ଜିକରଣ କରିଥିଲା । ଶିବ ସୁନ୍ଦର ଦାସ ତାଙ୍କର ପୁରା ଟେଷ୍ଟ କ୍ୟାରିୟରରେ ଦୁଇ ଶତକ ସ୍କୋର କରିଛନ୍ତି ଓ ଏହି ଶତକ  କେବଳ ନାଗପୁରରେ ଜିମ୍ବାୱେ ବିପକ୍ଷରେ କରିଛନ୍ତି । ଏହି ଦୁଇ ଶତକ ଦୁଇ ବର୍ଷ ବ୍ୟବଧାନରେ ତାଙ୍କ ବ୍ୟାଟରୁ ବାହାରିଥିଲା । ଏହା ବ୍ୟତୀତ ଶିବସୁନ୍ଦର ନଭେମ୍ବର ୨୦୦୦ ରୁ ମେ ୨୦୦୨ ପର୍ଯ୍ୟନ୍ତ ଭାରତୀୟ ଟେଷ୍ଟ ଦଳର ନିୟମିତ ସଦସ୍ୟ ରହିଆସିଛନ୍ତି ।

ଯେତେବେଳେ ଶିବ ସୁନ୍ଦର ଅନ୍ତର୍ଜାତୀୟ କ୍ରିକେଟ୍ ରେ ଡେବ୍ୟୁ କରିଥିଲେ, ସେତେବେଳେ ସେ ଓଡି଼ଶାର ତୃତୀୟ ଖେଳାଳି ଭାବରେ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିଲେ । ତାଙ୍କ ପୂର୍ବରୁ ଦ୍ରୁତ ବୋଲର ଦେବଶିଷ ମହାନ୍ତି (୧୯୯୭) ଓ ସଞ୍ଜୟ ରାଉଳ (୧୯୯୮) ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ । ସଞ୍ଜୟ ରାଉଳ ଭାରତ ପାଇଁ ୨ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି ।

ନିଜ କ୍ରିକେଟ୍ କ୍ୟାରିୟରକୁ ବିଦାୟ ଦେବା ପରେ ଶିବ ସୁନ୍ଦର ଦାସ ମଧ୍ୟ କୋଚିଂରେ ନିଜର ଦକ୍ଷତା ଦେଖାଇ ସାରିଛନ୍ତି । ସେ ଓଡି଼ଶାର ରଣଜୀ ଦଳର କୋଚ୍ ମଧ୍ୟ ରହିଛନ୍ତି । ଏହା ବ୍ୟତୀତ ସେ ୨୦୨୧ ମସିହାରେ ଭାରତୀୟ ମହିଳା ଦଳର ବ୍ୟାଟିଂ କୋଚ୍ ମଧ୍ୟ ଥିଲେ । ଏହା ସହିତ ସେ ୨୦୧୬ ମସିହାରେ ଭାରତର ଅଣ୍ଡର-୧୬ ଓ ଅଣ୍ଡର-୧୯ ଦଳର ମଧ୍ୟ କୋଚ୍ ଥିଲେ ।