Odia News Portal

ବିଶ୍ୱର ଦ୍ୱିତୀୟ ଜନଗହଳି ପୂର୍ଣ୍ଣ ସହର ବେଙ୍ଗାଲୁରୁ

୨୦୨୨ରେ ବିଶ୍ବର ସବୁଠୁ ଅଧିକ ଭିଡ଼ ସହରଗୁଡ଼ିକ ମଧ୍ୟରେ ବେଙ୍ଗାଲୁରୁ ଦ୍ବିତୀୟ ସ୍ଥାନରେ ରହିଛି। ଲଣ୍ଡନ ପ୍ରଥମ ସ୍ଥାନରେ ରହିଛି। ନେଦରଲାଣ୍ଡର ପ୍ରଯୁକ୍ତି ସଂସ୍ଥା ଟମ୍‌ଟମ୍‌ ପକ୍ଷରୁ ପ୍ରକାଶିତ ଟ୍ରାଫିକ୍ ସୂଚୀରୁ ଏହା ଜଣାଯାଇଛି। ବେଙ୍ଗାଲୁରୁବାସୀଙ୍କୁ ୧୦ କିଲୋମିଟର ଯିବାଲାଗି ହାରାହାରି ୨୯ ମିନିଟ ୧୦ ସେକେଣ୍ଡ୍‌ ଲାଗିଛି। କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ ଲଣ୍ଡନର ଟ୍ରାଫିକ ସବୁଠୁ ଅସହ୍ୟ। ଏଠାରେ ୧୦ କିମି ଯିବା ଲାଗି ୩୬ ମିନିଟ ୨୦ ସେକେଣ୍ଡ ସମୟ ଲାଗୁଛି। ସିଟି ସେଣ୍ଟର ବର୍ଗରେ ବେଙ୍ଗାଲୁରୁ ପଛକୁ ଟ୍ରାଫିକ୍ ଭିଡ଼ କ୍ଷେତ୍ରରେ ଆୟର୍ଲ୍ୟାଣ୍ଡର ଡବଲିନ୍ ତୃତୀୟ, ଜାପାନର ସାପୁରୁ ଚତୁର୍ଥ, ଇଟାଲିର ମିଲନ ପଞ୍ଚମ ଏବଂ ମହାରାଷ୍ଟ୍ରର ପୁନେ ଷଷ୍ଠ ସ୍ଥାନରେ ରହିଛି। ଜଟିଳ ଟ୍ରାଫିକ ସମସ୍ୟା ଥିବା ଭାରତର ଅନ୍ୟ ସହରଗୁଡ଼ିକ ମଧ୍ୟରେ ଦିଲ୍ଲୀ ଏବଂ ମୁମ୍ବାଇ ରହିଛି। ଦିଲ୍ଲୀ ଉକ୍ତ ତାଲିକାର ୩୪ତମ ସ୍ଥାନରେ ଥିବାବେଳେ ମୁମ୍ବାଇ ୪୭ତମ ସ୍ଥାନରେ ରହିଛି।

କିନ୍ତୁ ମେଟ୍ରୋ ଅଞ୍ଚଳ ବର୍ଗରେ ତାଲିକାରେ ଟିକେ ପାର୍ଥକ୍ୟ ରହିଛି। ବୋଗୋଟାରେ ଟ୍ରାଫିକ ସମସ୍ୟା ସବୁଠୁ ଅଧିକ ଥିବାବେଳେ ଏହା ପଛକୁ ମାନିଲା, ସାପୁରୁ, ଲିମା, ବେଙ୍ଗାଲୁରୁ, ମୁମ୍ବାଇ, ନାଗୋୟା, ପୁନେ, ଟୋକିଓ ଏବଂ ବୁକାରେଷ୍ଟ ରହିଛି। ମହାନଗର ଅଞ୍ଚଳ ମଧ୍ୟରେ ବେଙ୍ଗାଲୁରୁରେ ୧୦ କିମି ଯାତ୍ରା ପାଇଁ ହାରାହାରି ୨୩ ମିନିଟ ୪୦ ସେକେଣ୍ଡ ରହିଛି। ୨୦୨୦ରେ ଉକ୍ତ ତାଲିକାରେ ବେଙ୍ଗାଲୁରୁ ଷଷ୍ଠ ସ୍ଥାନରେ ଥିବାବେଳେ ୨୦୨୧ରେ ଦଶମ ସ୍ଥାନରେ ରହିଥିଲା।
ଉଲ୍ଲେଖଯୋଗ୍ୟ, ସହରର ବ୍ୟସ୍ତବହୁଳ ସ୍ଥାନଠାରୁ ୫ କିମି ବ୍ୟାସାର୍ଦ୍ଧ ମଧ୍ୟରେ ଅଞ୍ଚଳକୁ ସିଟି ସେଣ୍ଟର କୁହାଯାଇଛି। ମେଟ୍ରୋ ଅଞ୍ଚଳ ଭାବେ ଉଭୟ ସହର ଏବଂ ତାହାର ପାଶ୍ବବର୍ତ୍ତୀ ଗ୍ରାମାଞ୍ଚଳକୁ ବିଚାରକୁ ନିଆଯାଇଛି। ବେଙ୍ଗାଲୁରୁ ସି‌ଟି ସେଣ୍ଟରରେ ଯାତାୟାତ ପାଇଁ ୨୦୨୨ରେ ସବୁଠୁ ଖରାପ ଦିନ ଅକ୍ଟୋବର ୧୫(ଶନିବାର) ଥିଲା। ସେହିଦିନ ଜଣେ ବ୍ୟକ୍ତିଙ୍କୁ ୧୦ କିମି ଯାତ୍ରା କରିବା ପାଇଁ ହାରାହାରି ୩୩ ମିନିଟ ୫୦ ସେକେଣ୍ଡ ଲାଗିଥିଲା। ଶୁକ୍ରବାରର ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ଟ୍ରାଫିକ ଭିଡ଼ ସବୁଠୁ ଅଧିକ ରହିଛି। ୧୦ କିମି ପାଇଁ ହାରାହାରି ୩୭ ମିନିଟ ୨୦ ସେକେଣ୍ଡ ଲାଗିଛି।