ପାକିସ୍ତାନରେ ଗୁରୁବାର ସକାଳେ ଏକ ଟ୍ରେନରେ ବିସ୍ଫୋରଣ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ବେଲୁଚିସ୍ତାନର କ୍ଵେଟା ଯାଉଥିବା ଜାଫର ଏକ୍ସପ୍ରେସରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି।
ସ୍ଥାନୀୟ ଗଣମାଧ୍ୟମ ସୂଚନା ମୁତାବକ, ପେଶାୱରରୁ କ୍ଵେଟା ଯାଉଥିବା ଜାଫର ଏକ୍ସପ୍ରେସ ଚିଚାୱତନୀ ରେଳ ଷ୍ଟେସନ ଦେଇ ଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଛି। ଇକୋନୋମୀ କ୍ଲାସର ୬ ନମ୍ବର ବଗିରେ ବିସ୍ଫୋରଣ ଘଟିଥିବା କୁହାଯାଉଛି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ।
ଏଠାରେ ଉଲ୍ଲେଖଯୋଗ୍ୟ, ଜାଫର ଏକ୍ସପ୍ରେସରେ ବିସ୍ଫୋରଣର ଏହା ଦ୍ବିତୀୟ ଘଟଣା। ଗତ ମାସ ଏହି ଟ୍ରେନରେ ଏଭଳି ଏକ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୮ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଏଥିସହ ବିସ୍ଫୋରଣ ଯୋଗୁଁ ଏକ୍ସପ୍ରେସର ଦୁଇଟି ବଗି ମଧ୍ୟ ଲାଇନଚ୍ୟୁତ ହୋଇଥିଲା।