Odia News Portal

ବିପୁଳ କ୍ଷତି ସହିଲେଣି ଆଦାନି

ଚଳତ ବର୍ଷ ଜାନୁଆରି ୨୪ରେ ଆମେରିକାର ସଂସ୍ଥା ହିଣ୍ଡେନ୍ବର୍ଗ ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍ ବିରୋଧରେ ସଙ୍ଗିନ ଅଭିଯୋଗ କରିବା ପରେ ଉଭୟ ଆଦାନି ଓ ତାଙ୍କ କଂପାନିର ନିବେଶକମାନେ ବିପୁଳ କ୍ଷତି ସହିଲେଣି। ଆଦାନିଙ୍କ ସମ୍ପତ୍ତି ଅଧାରୁ ଅଧିକ ହ୍ରାସ ପାଇଲାଣି। ଚଳିତ ବର୍ଷ ଜାନୁଆରିରେ ଆଦାନିଙ୍କ ସମ୍ପତ୍ତି ପରିମାଣ ୧୨,୬୪୦ କୋଟି ଡଲାର (୧୦,୩୬,୪୮୦ କୋଟି ଟଙ୍କା) ଥିଲା। ଫେବୃୟାରୀ ୧୪ ସୁଦ୍ଧା ତାଙ୍କ ସମ୍ପତ୍ତି ୫୩୦୦ କୋଟି ଡଲାର (୪,୩୪,୬୦୦ କୋଟି ଟଙ୍କା)କୁ ହ୍ରାସ ପାଇଛି। ଏହି କିଛି ଦିନ ଭିତରେ ଆଦାନିଙ୍କ ସମ୍ପତ୍ତିରେ ୬,୦୧,୮୮୦ କୋଟି ଟଙ୍କାର ହ୍ରାସ ହୋଇଛି। ସେଥିପାଇଁ ସେ ବିଶ୍ବ ଧନୀ ତାଲିକାର ୨୪ତମ ସ୍ଥାନକୁ ଖସିଆସିଛନ୍ତି। ଆଦାନି ଗ୍ରୁପ୍ର ବିଭିନ୍ନ ସଂସ୍ଥାର ସେୟାର କିଣିଥିବା ନିବେଶକମାନଙ୍କ ସମ୍ପତ୍ତିରେ ମଧ୍ୟ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହ୍ରାସ ଘଟିଛି। ପ୍ରପଟିମାର୍ଟ ସିକ୍ୟୁରିଟିଜ୍ର ରିସର୍ଚ୍ଚ ମୁଖ୍ୟ ଅବିନାଶ ଗୋରକ୍ସର କହିଛନ୍ତି ଯେ ଆଦାନି ଗ୍ରୁପ୍ ଅଧୀନରେ ଥିବା କଂପାନିଗୁଡ଼ିକର ଯେଉଁ କ୍ଷତି ହୋଇଛି ତାହା ଭରଣା ହେବା ଲାଗି ଅତିକମ୍ରେ ୬ ମାସ ସମୟ ଲାଗିବ। ଆଦାନି ଗ୍ରୁପ୍ର ବିଭିନ୍ନ ସଂସ୍ଥାର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ହୋଇଛି।
ସ୍ଥିତି ସୁଧାରିବା ଲାଗି ଉଦ୍ୟମ କରୁଥିବା ଆଦାନି ଗ୍ରୁପ୍ ବିଭିନ୍ନ ନିବେଶକମାନଙ୍କ ସହ କଥା ହେଲା ଲାଗି ବ୍ୟାଙ୍କ ନିଯୁକ୍ତ କରିଛି। ବାର୍କ୍ଲେ, ବିଏନ୍ପି ପରିବାସ, ଡିବିଏସ୍ ବ୍ୟାଙ୍କ, ଡଚ୍ ବ୍ୟାଙ୍କ, ଏମିରେଟ୍ସ ଏନ୍ବିଡି କ୍ୟାପିଟାଲ୍, ଆଇଏନ୍ଜି ଗ୍ରୋଏପ୍ ଏନ୍ଭି, ଏମ୍ୟୁଏଫ୍ଜି, ଏସ୍ଏମ୍ବିସି ନିକୋ ଓ ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ବ୍ୟାଙ୍କ ତରଫରୁ ଆଦାନି ଗ୍ରୁପ୍ର ବିଭିନ୍ନ ସଂସ୍ଥା ତରଫରୁ ନିବେଶକମାନଙ୍କ ସହ ଫେବ୍ରୁଆରି ୧୬ ଓ ୨୧ରେ ଆଲୋଚନା କରାଯିବ। କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହା ଜଣାପଡ଼ିନାହିଁ।